ଆଲୋକ କୁମାର ପ୍ରଧାନ, ପୁରୀ, ୨୧ ଅଗଷ୍ଟ ୨୦୨୩
ସାରିବାକୁ କଥା ଦେଇ ସରିବାର ନାମ ନିଏ ନାହିଁ
ସରୁଥିବା ସମୟକୁ ଚାଲୁଥାଏ ଅଣ୍ଟିରେ ପୁରେଇ ।
ଜଞ୍ଜାଳକୁ ଜାଳ କରି ଜଳୁଥାଏ ତା ସାଥିରେ ମିଶି
ଦୁଃଖ କୋଳେ ନିଦ ଶୋଇ ସୁଖ ପାଦ ଦେଉଥାଏ ଘସି ।
ଇଛାମତୀ ଇଛାମାନେ ଇଛାମତେ ଧାଇଁଲା ବାଟରେ
ଅପେକ୍ଷାର ପଦ୍ମାସନେ ଜପୁଥାଏ ସ୍ବପ୍ନ କୁ ମନରେ ।
ମନରେ ମଉନେ ଲେଖେ ମରମର ମଉଳା ସମୟ
ଯେଉଁଠାରେ ଖେଳୁଥାଏ ତେଲ-ଲୁଣେ ପାଣିଚିଆ ଦେହ ।
ପ୍ରେମର ପିତୁଳା ଆଗେ ଲେଖୁଥାଏ ପିଛିଲା ତାରିଖ ।
ଅଲୋଡ଼ା ଦେହ ମନରେ ଲୋଡ଼ୁଥାଏ ଦୁଃଖ ମିଶା ସୁଖ
ଭାଙ୍ଗିବାର ସୁଅ ମୁହେଁ ଦରଭଙ୍ଗା ନାଆଟିଏ ପରି
ତୋଳୁଥାଏ ଭାଙ୍ଗୁଥାଏ ବାଲି ଦେହେ କେତେ ଢଙ୍ଗ କରି ।
ସରିବାର ସାରିବାର ଆୟୁଷରେ ସମୟକୁ ଭୋଗି
‘ଜୀବନ’ ତ ହସିପାରେ ନିଜେ ସାଜି ଶୂନ୍ୟ ବଇରାଗୀ ।