ଆଲୋକ କୁମାର ପ୍ରଧାନ, ପୁରୀ, ୧୦ ଜୁନ୍ ୨୦୨୪
ଖିଆଲରୁ ଖିଏ ନେଇ ଖେଦିଲି ମୁଁ ଖଳାରୁ ଖମାର ।
ଖେତରୁ ଖମାର ଯାଏଁ ଖେଳୁଥିଲା ଖାତକର ଡ଼ର।।
ଖମାରୀର ପଦ ନେଲି ପାଦତଳୁ ଖସିଗଲା ମାଟି।
ମାଟିମୋହେ ବାନ୍ଧୁଥିଲି ଖିଆଲରେ ସମ୍ପର୍କ ସୂତାଟି।।
ସମ୍ପର୍କ ଝଲସୁଥିଲା ପତ୍ର ଫାଙ୍କୁ ଜହ୍ନଟିଏ ପରି।
ଯେଉଁଠି ଲୁଚିବା ଥିଲା ପୁରାପୁରି ଦେଖାଯିବା ସରି।।
ଏଇ ଅଛି ଏଇ ନାହିଁ ଭିଡ଼ରେ ମୁଁ ହଜି ଯାଉଥିଲି ।
ଜାଣେନା କୋଉଠି କାଇଁ ରାସ୍ତାପରି ଲମ୍ବି ଲମ୍ବି ଗଲି।।
ଆଶାର ଆକାଶ ଥିଲା ବିଶ୍ବାସର ପୃଥ୍ବୀଟିଏ ଥିଲା।
ସ୍ବପ୍ନର ଛାଇରେ ବସି ମନପକ୍ଷୀ ଥକା ମାରୁଥିଲା।।
କିଛିକିଛି ବୁଝୁଥିଲା ବେଶିଥିଲା ଅବୁଝା ଅବୁଝା।
କିଛି ମୁକ୍ତି ଭୋଗୁଥିଲେ ଆଉ କିଛି ଭୋଗୁଥିଲେ ସଜା।।
ଜୀବନର ବାଟେବାଟେ ଭାବନାର ସୁଅଟିଏ ଥିଲା ।
ଗାଁ ରାସ୍ତାପରି ଲମ୍ବି ବେଧଡକ ଗୀତ ଗାଉଥିଲା।।