ଆଲୋକ କୁମାର ପ୍ରଧାନ, ପୁରୀ, ୨୯ ଜୁଲାଇ ୨୦୨୪
ଦୋ ଦୋ ଚିହ୍ନା ଲାଗୁଥାଏ ଦି’ଦିନର ରହିବା ସମୟ
ଦି’ମୁଣ୍ଡିଆ ସାପ ପରି ଏକପାଖେ ନ ହୋଇକି ଥୟ
ଆରମ୍ଭରୁ ଟାଣୁଥାଏ ଶେଷ ଯାଏଁ ଟାଣିବା ସରେନି
ବାଟ ଭାଙ୍ଗି ଯିବା କେବେ ଯୁଦ୍ଧ ଦେଇ ଏଯାଏଁ ହୋଇନି
ସରିବାର ପ୍ରତିକୂଳେ ସାରିବାର ବିଗୁଲ୍ ବଜାଏ
ବିଧ୍ବଂସର ଛାତିପରେ ଅଶାନ୍ତିର ଆବାହନୀ ଗାଏ
ଜିଦିର ଲେଉଟଜର ସନ୍ଧିବୁଡା ହୋଇ ଘାରିବସେ
ହାବୁକାଏ ଖୁସି ଦେଇ ରାହୁ ପରି ଚଉଦିଗୁ ଗ୍ରାସେ
ଯମପରି ବୁଝେନାହିଁ କିଏ ଯୁବା କିଏ ବା ବାଳୁତ
ଭୀତତ୍ରସ୍ତ ଉପତ୍ୟକା ଗାଉଥାଏ ମୃତ୍ୟୁର ସଙ୍ଗୀତ
ସମ୍ପର୍କର ସୀମା ଡେଇଁ ଘୋଟିଆସେ ବିବେକ ମଡକ
ପ୍ରତିଟି ନିଃଶ୍ବାସ ତଳେ ଶୋଇଥାଏ ଅଜଣା ଆତଙ୍କ
ଯୁଦ୍ଧକୁ ଜୀବିକା କରି ଜିଇଁଛି କେ ଗୋଟିଏ ମୂହୁର୍ତ୍ତ
ନିସର୍ତ୍ତ ଜୀବନେ ସୁଖ ଯୁଦ୍ଧ ଦେହେ ଥାଏ ସବୁ ସର୍ତ୍ତ।।