ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୫ ଫେବୃଆରୀ ୨୦୨୩
ନିଛାଟିଆ ଧୂ ଧୂ ଖରାବେଳ
କପୋତୀର କାନ୍ଦିବାର ବେଳ
ବରପାଲିର ଗାଉଁଲୀ ସକାଳ
ଅବା କେତେବେଳେ ଧାଡ଼ିବାନ୍ଧି ସ୍କୁଲ ପିଲାଙ୍କର
“ସତ୍ୟ ପଥେ ଧର୍ମ ପଥେ
ଘେନି ଯାଅ ମୋତେ”
ପ୍ରାର୍ଥନାର ଉଚ୍ଚାରଣ
କେଉଁଠାରେ ତମ ବୁଢ଼ାରଜା
ହୀରାକୁଦ, ବର୍ଷା ଏବଂ
ବସନ୍ତ କବିତାର
ଲଳିତ ଝଙ୍କାର ତ ଆଉ କେଉଁଠାରେ
ତମ ନିଖୁଣ ହାତର ସ୍ଵର
ବଗିଚାରେ, ଗଛରେ, ଫୁଲରେ,
କବିତ୍ଵର ଅମୂର୍ଭ ଅକ୍ଷର।
ହେ ଦରଦୀ କବି ତମେ ଜୀବନର କବି
ବରପାଲି ପବିତ୍ର ମାଟିରେ
ଆଙ୍କିଗଲ ଯେତେ ଯେତେ ଛବି
ସବୁ ଆଜି ତମରି ସ୍ମୃତିରେ ସ୍ମୃତିମୟ
ମେଘମୟ
ଅଧା ରହିଯାଇଥିବ କେତେ ସ୍ୱପ୍ନ
କେତେ ସ୍ମୃତି
ଭାଷାହୀନ ଭାଷା କେତେ
ଶବ୍ଦହୀନ ଶବ୍ଦ କେତେ
ଆଚ୍ଛନ୍ନ ଆବେଗ ଭରା
କବି ହୃଦୟର
କେତେ ମୁଗ୍ଧ ଅନୁଭୂତି ।