ଆଲୋକ କୁମାର ପ୍ରଧାନ, ପୁରୀ, ୩୧ ଜୁଲାଇ ୨୦୨୩
ଦେଖିଛି ଅନେକ ଥର ନ ଦେଖିଲା ପରି ଯାଏ ଲୁଚି।
ପାଉଁଜି ପରି ପାଦରେ ରୁଣୁଝୁଣୁ ହୋଇ କି ବାଜିଛି।।
ସ୍ମରଣ ବିସ୍ମରଣର ଯୁଦ୍ଧକ୍ଷେତ୍ରେ ଶେଷ ଅସ୍ତ୍ର ହୋଇ।
ଭାଙ୍ଗିଛି ଅନେକ ଥର ଲେଉଟିଛି ଲକ୍ଷ ଭୁଲିଯାଇ।।
ନଖରେ ଉଖାରି ମତେ କାଳପାଖେ ସାକ୍ଷୀ କରିଦେଇ।
ମାୟାମୟ ଖରାବେଳେ ବିଷାଦର ମେଘ ଖଣ୍ଡେ ହୋଇ।।
ଅବା ରୁଗ୍ଣ ରୋଷଣୀ ରେ ରୁବାୟତ ପରି ମତେ ଘେରେ।
ପ୍ରବଂଚିତ ବଂଶୀ ହୋଇ ବାଜେ କେବେ ମନ ଆରପାରେ।।
ପୁରିଲାପଣଟା ପରି ନାଚେ ମୋର କଞ୍ଚା ଦେହଟାରେ।
ସ୍ମଶାନ ବୈରାଗ୍ଯ ପରି କେବେ ମୋତେ ଲୋକହସା କରେ।।
ପାପ ବି କବିତା ହୁଏ ଭାଙ୍ଗି ଦେଇ ଶବ୍ଦ ଓ ହୃଦୟ।
ଅକ୍ଷର ବି କାରାଭୋଗେ ଦୋଷ ଲାଗେ ପୂର୍ଣ୍ଣ ପୁଣ୍ୟମୟ।।
ପାପପୂଣ୍ଯ ଲୁହଲହୁ ଦେହେ ଶବ୍ଦ ନିରବରେ ଜିଉଁ।
ମୃତ୍ୟୁ ବି କବିତା ଲାଗୁ ଶବ୍ଦ କୋଳେ କବି ଫାଶୀ ପାଉ।।