ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୯ ମାର୍ଚ୍ଚ ୨୦୨୩
ସେ ଘରେ କଅଣ ନଥିଲା କୁହ
ସ୍ନେହ ଥିଲା ଅଭିମାନ ଥିଲା
ଅଭିଯୋଗ ଥିଲା
ଅଝଟ କୈଶୋର ବି ଥିଲା |
ସେ ଘର ଥିଲା କବିତା ଲେଖାର ଘର
ଗୀତରେ ଗପରେ
ଗୁଣୁଗୁଣୁ ହେଉଥିବା ଘର
ସଞ୍ଜ ହେଲେ ଝୁଣା ଓ ଦୀପରେ
ସେ ଘର ମହକୁଥିଲା
ଛୋଟ ପିଲାଙ୍କର ପ୍ରାର୍ଥନା
ଡାକି ଆଣୁଥିଲା ଇଶ୍ୱରଙ୍କୁ
ସେ ଘରକୁ ।
ଦେଶ ପାଇଁ ସ୍ଵପ୍ନ ଦେଖୁଥିବା
ମଣିଷମାନେ ଥିଲେ ସେ ଘରେ
ଆଜି ତୈଳଚିତ୍ର ପାଲଟି
ଯାଇଛନ୍ତି କାନ୍ଥରେ ।
ସେ ଘର ତ ସାଧାରଣ ଘର ନୁହେଁ
ସ୍ଵାଧୀନତା ସଂଗ୍ରାମୀର ଘର ।
ଏବେ ମଧ୍ୟ ସଂଗ୍ରାମ ସରିନାହିଁ
ଆମ ମାନଙ୍କର ।