ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୩ ଜୁଲାଇ ୨୦୨୫
କେତେ ଇଚ୍ଛା ଥିଲା
ବ୍ରହ୍ମପୁତ୍ର କୂଳରେ କବିତା ପଢ଼ିବି।
କବିତାରେ ନୀଳ ହୋଇଯିବ
ବ୍ରହ୍ମପୁତ୍ରର ଜଳ।
କି ଉଦ୍ଦାମ ଏହି ବ୍ରହ୍ମପୁତ୍ର।
ଆସାମ ଆକାଶରେ ଆଜି
କବିତାର ପକ୍ଷୀ ମାଳ ମାଳ।
ଭାରତର ବିଭିନ୍ନ ପ୍ରାନ୍ତରୁ କବିମାନେ
ପକ୍ଷୀ ହୋଇ ଆସିଛନ୍ତି
ଏଠାକୁ ଏଇ ଆସାମକୁ।
କବିର ସ୍ବପ୍ନ ପାଖରେ
ଆତଙ୍କବାଦୀମାନେ ବି ଅସହାୟ।
ଏଠାକାର ଗଛମାନେ, ପକ୍ଷୀମାନେ
ଅନ୍ତରଙ୍ଗ ମିତ୍ରପଣରେ
ଅଧିକ ସବୁଜ ଆତ୍ମୀୟ।
କାମରୂପ, କାମାକ୍ଷା ମନ୍ଦିର
ମୋ ଚେତନାରେ ସବୁ ଗୁନ୍ଥିହୋଇ ଯାଇଛି ଆଜି।
ମୁଁ ନିରବଧି ସମୟର
ଜଳ ବିନ୍ଦୁଟିଏ
ବ୍ରହ୍ମପୁତ୍ର କୂଳରେ କବିତା ପଢ଼ିବା ପାଇଁ ଆସିଥିଲି
ସମୟ ବି ଦିନେ ଭୁଲିଯିବ।