ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୮ ଡିସେମ୍ବର ୨୦୨୨
କବି ତୁମେ ଜୀବନର କବି
ଅଭିମାନ ଅବିରରେ
ରଙ୍ଗାଇଲ ତୂଳୀ ଓ କଲମ
ଆଙ୍କି ଦେଲ ନିଖିଳର ଛବି ।
ଅଧାଗଢା଼ ଅଧାଭଙ୍ଗା
ସ୍ୱପ୍ନ କେତେ ପଡ଼ିଥିବ ଝଡ଼ି
ପୁରୁଣା ଅଭିଜାତ ଘରର ଛାତରୁ
ଚୂନ ସୁରକି ଝଡ଼େ ଯେଉଁପରି ।
କେବେ ଅବା ଘନ ମେଘ ଛାଇ,
ସୁବର୍ଣ୍ଣରେଖାର ଜୁଆରିଆ ନଈପାଣି
ଡାକିଆଣିଥିବ ସଂଗୋପନେ
ତୁମ ସହ ଦୁଇପଦ କଥା ହେବ ବୋଲି ।
ତୁମ କବିତାର ଶାଣିତ ଅକ୍ଷର
କାହାକୁ ଶୁଣାଉଥିଲ
ଜିଦ୍ ଖୋର୍ ନଈକୁ ନା
ସନସନ ଶବ୍ଦରେ ମୁଣ୍ଡ ନାଡୁଥିବା
ବାଉଁଶ ବଣକୁ ।
ତୁମେ ମୋ ଗାଁର କବି ଦୀନକୃଷ୍ଣ
ମୋ କବିତ୍ୱର ଆଦ୍ୟ ଉଚ୍ଚାରଣ ।
ଜଣେ ସ୍ଵାଭିମାନୀ କବି ପାଇଁ
ମାଟି ବି ପାଲଟିଯାଏ
ଦେବାଳୟ ।
ବଞ୍ଚିରହେ କାଳନିରବଧି
କବିତାର ଉଜ୍ଜଳ ଅକ୍ଷର ।