ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ଜାନୁୟାରୀ ୨୦୨୬
ତୋ’ ଡୋର ଲାଗିଲେ ଯିବି ପରା ମୁଇଁ
ଶ୍ରୀମୁଖ ଦର୍ଶନ ପାଇଁ,
ସେଇ ମୁହୂର୍ତ୍ତକୁ ରହିଚି ଅନାଇ
ହୃଦୟ ଦୁଆର ଫେଇ । ।।୧।।
ତୋତେ ଦେଖିଦେଲେ ଏଇ ଜୀବନର
ପାପ ସବୁ ଯିବ ଧୋଇ,
ସେଇ ବିଶ୍ୱାସରେ ଲକ୍ଷ ଲକ୍ଷ ଭକ୍ତ
ଭେଟିବାକୁ ତୋତେ ବାଇ । ।।୨।।
ଜାଣେ ନାଇଁ ଏଇ ଅକିଞ୍ଚନ ପରା
କେବେ ତୋ’ ଡାକରା ପାଇ,
ଧାଇଁଯିବ ସେଇ ନୀଳାଚଳ ଧାମ
ଭକ୍ତିର ନୈବେଦ୍ୟ ନେଇ । ।।୩।।
କଅଣ ନେବିରେ କାଳିଆ ତୋ’ ପାଇଁ
ମୋ ପାଖରେ କିଛି ନାଇଁ,
ଖାଲି ହାତଟାରେ କେମିତି ଯିବି ମୁଁ
ସରମେ ପଡ଼ୁଛି ନଇଁ । ।।୪।।
ଶ୍ରୀମନ୍ଦିରରେ ମୁଇଁ ପହଂଚିବା ବେଳେ
ପଡ଼ିଥିବୁ ଯଦି ଶୋଇ,
କଅଣ କରିବି ନୀଳାଚଳିଆରେ
ମନ ହେବ ହାଇଁପାଇଁ । ।।୫।।
ପହଡ଼ ଉଠିଲେ, ଦୁଆର ଖୋଲିଲେ
ଧାଇଁବି ଭିଡ଼ ହଟାଇ,
ଭିଜିବାକୁ ତୋର ରୂପ ଲାବଣ୍ୟରେ
ଦିବ୍ୟ ଚେତନା ଜଗାଇ । ।।୬।।
ଭକତ ତୁମର, ତୁମେ ଭକତର
ଭକ୍ତି ରସରେ ମଜାଇ,
ଉଦ୍ଧାର କରିବ ଏ ଆର୍ତ୍ତ ଭକ୍ତକୁ
ତୁମେ ତ ଜଗତ ସାଇଁ । ।।୭।।






