ଆଲୋକ କୁମାର ପ୍ରଧାନ, ପୁରୀ, ୫ ଅଗଷ୍ଟ ୨୦୨୪
ଏମିତିକା ରାତିଟିଏ ସ୍ବପ୍ନକୁ ଲମ୍ବଉଥାଏ ପହଡ଼ ସାଙ୍ଗରେ।
ଘଡିମରା ଜହ୍ନପରି ବଢୁଥାଏ ଛିଡ଼ୁଥାଏ ପକ୍ଷ ଆଧାରରେ।।
ସମୟ ସୁଅରେ ଭାଷି ଭେଟୁଥାଏ ଘଟଣାରୁ ଅଘଟଣ ଯାଏଁ।
କେମିତିକା ସରେନି ସେ ସେହିସବୁ ହିସାବ କି ତା ପାଖରେ ଥାଏ।।
ପାଦେ ଗଲେ ବାରହାତ ଉଠିଗଲେ ଉପରକୁ ତଳକୁ ଚାହେଁନା।
କବିତାର ଶେଷ ଧାଡ଼ି କାହାର ଆରମ୍ଭ ବୋଲି ନିଜେ ବି ଜାଣେନା।।
ଗପ ପରି ଛୁଉଁଥାଏ ଭେଦୁଥାଏ ଗୀତସୁରେ ଦୁର ଗାଆଁ ପରି।
ଯେଉଁଠି ଦିପଦ କଥା ଲାଗୁଥାଏ ଦିଧାଡ଼ିଆ କବିତାଟେ ସରି।।
ବୁଲିକି ଚାହିଁଲେ ଦିଶେ ନ ଚାହିଁଲେ ଚାଲୁଥାଏ ବାଟ କହିକହି।
ଅଖବୁଲେ ଚକବୁଲେ ତା’ସାଥିରେ ବୁଲୁଥାଏ କଳ୍ପନାର ପହି।।
ସତ କେତେ ମିଛ କେତେ ସ୍ବପ୍ନ କେତେ ତା ସାଥିରେ ବାସ୍ତବତା କେତେ?
ଯେଥାଉ ଯାହାର ମତେ କଳ୍ପନାର ଯାଏ କେତେ ଅବା ଆସେ କେତେ?
କଳ୍ପନାର ପୋତ ବାହି ଆଗେ ଯାଅ ଅବା ଫେର ପଛକୁ ପଛକୁ।
ସୀମାରେ କଳ୍ପନା ଥିଲେ ଛୁଉଁଥାଏ ବାଟଭୁଲା ସବୁ ସୀମନ୍ତକୁ।।