• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କଞ୍ଚା ଆମ୍ବ….

ନୀଳାଦ୍ରୀ ବିଜେ
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ଵର, ୧ ଜୁଲାଇ ୨୦୨୩

ନଦୀ କୂଳ ବଣ ଜଙ୍ଗଲ ଓ ପାହାଡ଼ର ତଳି ଅଞ୍ଚଳ ଠାରୁ ଆରମ୍ଭ କରି ଖେଳପଡ଼ିଆ ଯାଏଁ ସାଙ୍ଗ ସାଥି ଙ୍କ ସହ ବୁଲି ବୁଲି ସନ୍ଧ୍ୟା ନଇଁବା ପରେ ହାଲିଆ ହୋଇ ଆସି ଘରେ ପହଞ୍ଚିଲା ଲିପୁ। କଣ ଦିଟା ଖାଇଦେଇ ବିଛଣାରେ ଗଡ଼ୁ ଗଡ଼ୁ ଆଖି ତାର କେତେବେଳେ ଲାଖି ଯାଇଥିଲା ତାକୁ ଜଣା ନଥିଲା। ଦୁଆରଟା ରାତି ତମାମ ଅଧା ଠିଆ ମୁକୁଳା ହୋଇଛି ସେମିତି। ବାହାର ର ମଶା ଗୁଡ଼ିକ ଘରେ ପଶି କାମୁଡ଼ି ଦେହର ଚାରିଆଡ଼େ ଚିହ୍ନ କରିଦେଇଛନ୍ତି। ଭୋରରୁ ହଠାତ ନିଦ ଭାଙ୍ଗିବା ପରେ ଉଠି ଦେଖେ ତ ପୂରୁବ ଦିଗରୁ ସୂର୍ଯ୍ୟଙ୍କର ନାଲି ହସ ବଦଳରେ ବାଦଲ ର ଖଣ୍ଡ ସବୁ ଯେପରି ଛାଇ ହୋଇ ଯାଇଛି ଆକାଶ ସାରା। ଅଦିନ ଟାରେ ଏ କଳା ହାଣ୍ଡିଆ ମେଘ ଟା ଏମିତି ଘୋଡେ଼ଇ ରଖିଛି ଯେ, ସତେ କି ଏଇଲେ କାହିଁରେ କଣ କେତେ ବର୍ଷି ଯିବ। ମଝିରେ ମଝିରେ ବିଜୁଳି ଓ ଘଡ଼ ଘଡ଼ି ଶବ୍ଦରେ ଚମକି ପଡ଼ୁଥାଏ ଲିପୁ। କବାଟ ଟା ଆଉଜେଇ ଆସି ଘର ଭିତରେ ବାରମ୍ବାର କାଚ ଝରକା ଦେଇ ବାହାରକୁ ଚାହୁଁଥାଏ। ଘୋଟି ଥିବା ମେଘ ସାଙ୍ଗକୁ ଅନ୍ଧାରର ଯେଉଁ ରାଜୁତି ଦେଖି ଡରି ଯାଉଥାଏ। ରାତି ଅଳ୍ପ ପାହି ଆସୁଥିଲେ ମଧ୍ୟ ଲିପୁର ଉଠିବାକୁ ଇଛା ହେଉ ନ ଥାଏ। ଏହି ସମୟରେ ବାହାରେ କାହାର ଗୁଣୁଗୁଣୁ ଶବ୍ଦ ଟିକେ ତାର କାନରେ ବାଜିଲା। ଘର ଭିତରେ ଥାଇ କିଛି କାରଣ ବୁଝି ପାରୁ ନଥାଏ। ତଥାପି ବାହାରକୁ ଟିକେ ଉଣ୍ଡି କି ଜାଣିବାକୁ ଚେଷ୍ଠା କଲା। ହଠାତ ତା ଜେଜେମା ର ପାଟି ଶୁଣି ଲିପୁ ଟିକେ ଚମକି ପଡ଼ିଲା। କାନେଇ କାନେଇ କଥା ଟା ଟିକେ ଶୁଣିଲା। ବୋଉକୁ ଜେଜେମା ତାର ଚୁପ ଚୁପ କହୁଥାଏ, “ଜାଣିଲୁ, କାଲି ରାତିରେ ସେ ତଳ ସାହିର ସୁରିଆ ଝିଅ ସୁମୀ ଟା କଣ ଆତ୍ମ ହତ୍ୟା କରିଦେଇଛି ଯେ। ଏତେ ଭଲ ଛୁଆ ଟା ଥିଲା, ଆହାଃ।” ଏହି କଥାରେ ଲିପୁ ଛାତିରେ ଦଲକାଏ ପବନ ଯେପରି ପଶିଆସି ତା କଲିଜା ଟାକୁ କମ୍ପେଇଦେଲା। ଉଠି ବସି ପଡ଼ିଲା ଲିପୁ କିଛି ସମୟ ପାଇଁ। ତା ପୂର୍ବ ଦିନ ସୁମୀ କହିଥିବା କଥା ଗୁଡ଼ା ସବୁ ହୃଦୟରେ ଢେଉ ପରି ଖେଳେଇ ହୋଇଯାଉଥାଏ। ଆଉ ସେଠାରେ ସେ ଅପେକ୍ଷା କରି ପାରିଲା ନାହିଁ, ବାଦଲ ହଟି ସୁରୁଜ ଉଠିବା ଯାଏଁ ମଧ୍ୟ ବସି ପାରିଲାନି। ଥଣ୍ଡା କାଲୁଆ ପବନରେ ଦେହ ଟା ତାର ଥରି ଉଠୁଥାଏ। ତଥାପି ବୋଉ ଆଉ ଜେଜେମା ର ପଛେ ପଛେ ଧାଇଁ ଯାଇ ଦେଖେ ତ ସୁମୀ ର ଦୁଆରେ ପ୍ରବଳ ଲୋକ ଗହଳି। ଏତେ ଭୋରରୁ ମଧ୍ୟ ଗାଁ ସାରା ଲୋକ ଆସି ସେଠାରେ ରୁଣ୍ଡ ହୋଇ ସାରି ଥାଆନ୍ତି। କିନ୍ତୁ ଲିପୁ ଦେଖୁଥାଏ ଯିଏ ଯାହା ପାରୁଛନ୍ତି ମନ ଇଛା ଫୁସୁର ଫାସୁର ହେଉଛନ୍ତି। କାହା ପାଟିରେ କିଏ ବା ବାଡ଼ ବତା ଦେବ ଏହି ଗାଁ ରେ? ସୁର ମହାନ୍ତି ଙ୍କ ଘର ର ଦୁଃଖ ପରିବେଶ ଦେଖି ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା ଲିପୁର। କିଏ ଜାଣୁ ବା ନ ଜାଣୁ, ଲିପୁ ସବୁ କଥା ଜାଣିଥିଲା।ସମସ୍ତେ ଗୋଟିଏ କଥା କହୁଥାନ୍ତି…କାହିଁକି ଏପରି କାମ ସେ କଲା? ମା କିନ୍ତୁ ସୁମୀର କାନ୍ଦି କାନ୍ଦି ତଳେ ଲୋଟି ଯାଉଥାଆନ୍ତି। ସେହି ଗହଳି ମଧ୍ୟରେ ବଡ଼ପାଟିରେ, “ଅଳପେଇସା, ବାଡ଼ିପସା, ଅଧାବରସିଆ, ବାଟରେ ପଡ଼ି ମରିବୁ ରେ, ମୋ ଝିଅ ର ଏପରି ଅବସ୍ଥା କଲୁ” ବୋଲି କହି ବହୁତ ସୋଧୁଥାନ୍ତି। ଲିପୁ ସବୁ ଶୁଣି ସେଠାରେ ଚୁପ ହୋଇ ଠିଆ ହୋଇଥାଏ। ଜାଣିଛି ସ୍ୱାଭିମାନି ସୁମୀର ଆଉ ଏ ମହାନିଦ୍ରା କେବେ ବି ଭାଙ୍ଗିବନି। ତଥାପି ସେହି ଅଛିଣ୍ଡା ଭାବନା ସହ ଆଗକୁ ଆଗକୁ ଯାଇ ଦେଖେ ତ ସେଦିନର ସେହି ନାଲି ଫ୍ରକ ଟା ସିଏ ପିନ୍ଧିଛି। ଆଉ ପାଦରେ ପିନ୍ଧିଥିବା କିଣା ପାଉଁଜିଟା ଖାଲି ସାମ୍ନାକୁ ଦେଖାଯାଉଥାଏ। ଏହା ଦେଖି ବୋକାଙ୍କ ପରି ହାତ ପାଦ ଲିପୁର ଝାଳେଇ ଯାଉଥାଏ। ମନ ମଧ୍ୟରେ ଗୋଟିଏ କଥା ପ୍ରତିଧ୍ବନିତ ହେଉଥାଏ ଲିପୁର, ସୁମୀ ବିକଳରେ ମାଗୁଥିବା କଞ୍ଚା ଆମ୍ବ ଟିଏ କଥା।

କେମିତି ବା କହିବ ସେହି ଗୋପନ ରହସ୍ୟ ସବୁ କାହାକୁ। ଠିଆ ହୋଇ ବାରମ୍ବାର ମକଚୁ ଥାଏ ଦୁଇ ହାତର ପାପୁଲିକୁ ସେ। କେତେ ଆଶା ବଉଳି ଥିଲା ସୁମୀର। କଅଁଳି ଉଠିଥିଲା କେତେ କଣ ଭାବନାର ଚାରା ସବୁ।ସୁଖର ଭବିଷ୍ୟତ କୁ ଆଶା କରି ବହୁତ ଧାଇଁ ଥିଲା ସେ ଅମି ଭାଇ ଟା ପଛରେ, ତାର ସ୍ୱପ୍ନିଳ ଚପଳ ଉନ୍ମାଦନା ସତେ ଯେପରି ଅପେକ୍ଷା କରିଥିଲା ତା ଆସିବା ବାଟକୁ। ସେଦିନ ଦିଶୁଥାଏ ଆଖି ଯୋଡ଼ିକ ତୃଷାର୍ତ ପରି ଦରଫୁଟା କଢ଼ ହୋଇ ଫୁଟିବ ଫୁଟିବ ବୋଲି। ଲୁଚି ଲୁଚି ସାଉଁଟିଥିବା ହସ ସବୁ ନୂଆ ଅଧ୍ୟାୟର ଅପେକ୍ଷାରେ ଥାଏ। କିନ୍ତୁ ଅକୁହା ଆବେଗ ସବୁ ଆଜି ପୋଡ଼ି ଜଳି ପାଉଁଶ ହୋଇଗଲା। ସେ ତ ବଡ଼ ଘରର ପାଠୁଆ ପୁଅ ଥିଲା। ଏ ପାଗେଳିଟା କଣ ସେ କଥା ବୋଧେ ବୁଝି ପାରୁ ନଥିଲା। ଏହି ସବୁ ପରିସ୍ଥିତି ଦେଖି ନିରବତାର ଶକ୍ତ ବନ୍ଧ ବାନ୍ଧି ହୋଇଗଲା କଥା କୁହା ପାଟିରେ ଲିପୁର। ତାର ସରଳ ନିଷ୍କପଟ ସ୍ମିତ ହସ ଓଠ ର କଥା ମନ ମଧ୍ୟରେ ଦୋହରାଇ ହେଉଥାଏ। ଲିପୁର ଏମତି ତା ସହିତ କି ସମ୍ପର୍କ ଥିଲା କେଜାଣି ମନ ଟା ସହଜ ରେ ଏହି ମୃତ୍ୟୁ କୁ ଗ୍ରହଣ କରି ପାରୁ ନଥିଲା। ସୁମୀ କଥା ଭାବି ଭାବି ଆସି ଲଥ କରି ବସି ପଡ଼ିଲା ଗୋଟେ ନିର୍ଦିଷ୍ଟ ସ୍ଥାନରେ। ପ୍ରଥମ ଶ୍ରେଣୀରୁ ସାଥି ହୋଇ ପାଠ ପଢୁଥିଲେ ଦୁଇଜଣ। ସୁମୀ ଏତେ ଭଲ ପାଠପଢୁ ନଥିଲେ ମଧ୍ୟ ସବୁ ଦିନ ସ୍କୁଲ କୁ ଯାଏ। ସବୁ ପର୍ବ ପର୍ବାଣୀରେ ଆଗୁଆ ବାହାରି ପଡ଼େ ଗାଁର ପୂଜା ପର୍ବ ମେଳା ଦେଖିବାକୁ। ଗାଁ ରେ ତାକୁ ସୁମୀ ନ ଡାକି ସୁମୀ ଚଣ୍ଡୀ ଡ଼ାକନ୍ତି। କାହିଁକି ନାଁ ସେ ଚଣ୍ଡୀଙ୍କ ଭଳି ଗଛ ଚଢାଠାରୁ ମାଛ ଧରା ଯାଏ ସବୁ କାମ କରୁଥାଏ। ଗୋରା ତକତକ ଚେହେରା ସାଙ୍ଗକୁ ପୁରିଲା ପୁରିଲା ଗାଲ ଦୁଇଟି ବାହାରକୁ ଓଉ ଭଳି ଓହଳି ଥାଏ। ସକାଳୁ ସନ୍ଧ୍ୟା ଯାଏ ଗାଁ ସାରା ପଂହିତରା ମାରୁଥାଏ।କିଏ ଯଦି ପଦେ କହେ ସେ ତାକୁ ଦୁଇ ପଦ ନ କହିଲେ ତା ମନ ଶାନ୍ତି ହୁଏନି।

ଲିପୁର ଠିକ ମନେ ଅଛି ସେ ଦିନ ବହୁତ ଟାଣ ଖରା ହୋଇଥାଏ। ତା ଜେଜେ ଙ୍କ ଦେହ ଖରାପ ଥାଏ।ବୋଉ କହିଥାଏ, “ଯାଆ ରେ ଆମ୍ବ ବାଡ଼ି ଟିକେ ଜଗିବୁ, ଆଉ ସେଇଠି ବସି ପାଠ ପଢ଼ିବୁ। ବାହାର ପିଲାମାନେ ସବୁ ଆମ୍ବ ଆଉ କୋଳି ପାରି ନେଇ ଯିବେ।” ଜେଜେ ବିଛଣା ରେ ସୋଇ ଏ ସବୁ ଶୁଣି କହୁଥାନ୍ତି, “ତମେ ମାନେ ଘରେ ବସି ଖାଲି ଗେଫା ମାରୁଥା ରେ। ସେ ପଟେ ସବୁ ପାଚିଲା ଫଳ ବରବାଦ ହୋଇଯାଉ।” ଲିପୁ କହିଲା, “ମୁଁ ଖାଉନି କିଛି ଜେଜେ। ମୋର ପରୀକ୍ଷା ଅଛି ମୁଁ ପାଠ ପଢିବି, ଯାଇପାରିବି ନାହିଁ।” ପୁଣି ଜେଜେ ଗର୍ଜନ କରି ଡାକ ଛାଡ଼ିଲେ, “ଛେନା ଗୂଡ଼ ପାଠ ପଢ଼ୁଛୁ। ଆରେ ଆଗକୁ ପଣା ସଂକ୍ରାନ୍ତି ଅଛି। ଗଛରେ ପାଚିଲା ଆମ୍ବ ଗୁଡ଼ା ଟହ ଟହ ଦିଶୁଥିଲା। ସବୁ ସେହି ବାଳୁଙ୍ଗା ଛୁଆ ଗୁଡ଼ା ବାଡ଼େଇ ନେଇ ଯିବେ। ଏତିକି ବେଳେ ଅଦିନ ରେ ମୋତେ ସେ ପୋଡ଼ା ମୁହାଁ ଜର ଟା ହୋଇ ଘରେ ପକେଇ ଦେଲା। ନ ହେଲେ ତମ ମାନକୁ କାହିଁକି ମୁ ଏତେ ଖୋସାମତ କରନ୍ତି।” ଏମିତି ବହୁତ ଗାରୁ ଗାରୁ ହେଉଥାନ୍ତି ଜେଜେ ତାର। କିଛି ସମୟ ଚୁପ ରହି ବହି ଖାତା ସପ ଖଣ୍ଡେ ନେଇ ବାହାରି ପଡ଼ିଲା ବାଡ଼ିକୁ। ଜେଜେ ଆଉ ଥରେ କହୁଥାନ୍ତି, “କାହାକୁ ଗୋଟିଏ ଆମ୍ବ ହାତ ମରେଇ ଦବୁନି ଟୋକା।” “ହଁ ହଁ” କହି ଚାଲି ଗଲା ଲିପୁ। ଆମ୍ବ ବଗିଚାରେ ପହଞ୍ଚି ବହି ଖାତାକୁ ତକିଆ କରି କିଛି ସମୟ ସୋଇ ଉପରକୁ ଚାହିଁ ଦେଖୁଥାଏ। ସୁଲୁସୁଲିଆ ପବନ ସାଙ୍ଗକୁ ଫୁଲର ବାସ୍ନା ମଧ୍ୟ ମହକୁ ଥାଏ। ବଗିଚାରୁ ଗୋଟେ କଞ୍ଚା କାକୁଡ଼ି ଆଣି ଚୋବାଇ ଖାଇବା ସମୟରେ ପଛ ପଟୁ ପାଂଉଜିର ଶବ୍ଦ ଶୁଭିଲା। ଦୂରରୁ ଆସିଥିବା ସୁମୀ କୁ ସେ ଠିକ ଜାଣି ପାରୁଥିଲା। ଧୀରେ ଧୀରେ ଆସି ପଚାରିଲା, “ଆରେ ଲିପୁ, ତୋ ଜେଜେ ଆଜି ନାହାନ୍ତି କିରେ?” “ନା ତାଙ୍କୁ ଜର ହୋଇଛି, ସେଥି ପାଇଁ ମୁଁ ପରା ଆସିଛି।” ଜେଜେ ଙ୍କୁ ସମସ୍ତଙ୍କର ଭୟ ଥାଏ। ସେ ଏକ ଦୀର୍ଘ ନିଶ୍ଵାସ ମାରି ଆସି ପାଖରେ ବସି ପଡ଼ି କହିଲା, “ଲିପୁ ମୋତେ ଗୋଟେ କଞ୍ଚା ଆମ୍ବ ଦେବୁ କିରେ?” “ଆରେ ଓଲି ବାୟାଣୀ ଟା କି ତୁ? ମୁଁ ଜ୍ୟେଷ୍ଠ ମାସରେ କଞ୍ଚା ଆମ୍ବ କୋଉଠୁ ଆଣିବି? ତୋ ଆଖିକୁ କଣ ଦେଖା ଯାଉନି ଏହି ପାଚିଲା ଗୁରୁ ଗୁରୁ ଆମ୍ବ ଗୁଡ଼ିକ ଗଛରେ କେମିତି ଓହଳିଛି? ଯଦି କହିବୁ ସେଥିରୁ ଗୋଟେ ଦିଟା ପାରି କି ଦେଇ ଦେବୀ। ଘରେ ଯାଇ ଖାଇବୁ, ଜେଜେ ଯେମିତି ନଜାଣିବେ।” “ଆରେ ମୋର ମିଠା ଆମ୍ବ ଦରକାର ନାହିଁ ରେ।” ଠାଏ ଠାଏ ସୁମୀ ମୁହଁରେ ଚିହ୍ନ ଦିଶୁଥାଏ। ବେକ ଆଉ ଗାଲ ଟିକେ ଟିକେ ଖଣ୍ଡିଆ ରାମ୍ପୁଡ଼ା ଚିହ୍ନ ଦେଖି ପଚାରିଲି, “ଆରେ ଏମତି କଣ ହୋଇଛି କି, କିଏ ତୋତେ ରାମ୍ପି ଦେଇଛି କିରେ?” “ନା ମ, ସେହି ଦୁଷ୍ଟ ଅମୀ ଭାଇ ଟା।” ତାର ସେହି ଲାଜୁଆ ପଣରୁ ସେ ଦିନ ସବୁ ବୁଝି ସାରିଥିଲି। “ଆରେ ତୁ ଔଷଧ ଟିକେ ଲଗେଇ ଦେବୁ ସେଥିରେ।” “ନା ଅମୀ ଭାଇ କଟକ ରୁ ମୋ ପାଇଁ ଭଲ ଔଷଧ ଆଣିବ କହିଛି। ମୁଁ ପରା ତାକୁ ଅପେକ୍ଷା କରିଛି। ଅମୀ ଭାଇ ଯେବେ ଆସେ ମୋତେ ନ ଦେଖିଲେ ପାଗଳ।  ମୋ ପାଇଁ କେତେ ପ୍ରକାର ମିଠା ଆଣିଥାଏ। ତା ବାଡ଼ିରେ ଆମେ ବହୁତ ସମୟ ଲୁଚକାଳି ଖେଳୁ। ହେଲେ ଜାଣିଛୁ ଲିପୁ, ଏବେ ବଡ଼ ଅଫିସର ଟେ ହେଲା ପରେ କାହିଁ ଟିକେ ଅଲଗା ଲାଗୁଛି।” କାନ୍ଦ କାନ୍ଦ ମୁହଁରେ କହି ପକେଇଲା, “ଏହି ସପ୍ତାହରେ ମୋତେ ଆଉ ଦେଖା ନ କରି ଚାଲିଗଲା।” ମୋ କାନରେ କହିଲା, “ଶୁଣୁ ଲିପୁ, ତୁ ଯଦି ଅମୀ ଭାଇଙ୍କୁ ଦେଖିବୁ ମୋତେ ନିଶ୍ଚୟ ଦେଖା କରିବେ କହିବୁ।” ମୁଁ ଠିକ ଜାଣିଥିଲି ଅମୀ ଭାଇ ଆଉ ସୁମୀ କୁ ଦେଖା କରିବେ ନାହିଁ। କି ଆଉ କଟକ ରୁ ତାଙ୍କର ଆସିବାର ନାହିଁ। ତଥାପି ତାର ମାନସିକତାକୁ ଲକ୍ଷ କରି କହିଥିଲି, “ତୁ ବ୍ୟସ୍ତ ହଅନି। ମୁଁ କହିଦେବି ସେ ତୋତେ ନିଶ୍ଚିତ ଦେଖା କରିବ।” ଲିପୁରଏହି କଥା ପଦକ ବୋଧେ ତାକୁ ଠିକ ଲାଗିନଥିଲା। କିଛି ସମୟ ପରେ ବୁଲି ଦେଖିଲା ସୁମୀ କଇଁ କଇଁ ହୋଇ କାନ୍ଦୁଛି। ତା ଆଖିରୁ ଧାର ଧାର ଲୁହ ଥପ ଥପ ହୋଇ ପଡ଼ୁଛି ଶୁଖିଲା ମାଟି ଉପରେ। ସେହି ଶୁଖିଲା ମାଟି ସତେ କି ଶୋଷି ନେଉଛି ସୁମୀର ଲୁଣିଆ ଲୁହ ସବୁକୁ। ଝିଅ ଟିଏ ଏତେ କାନ୍ଦିବା ଲିପୁ ବୋଧେ ପ୍ରଥମ ଥର ଦେଖିଲା। ଲିପୁର ପ୍ରଶ୍ନରେ ବାଷ୍ପ ରୁଦ୍ଧ କଣ୍ଠରେ ଉତ୍ତର ଦେଲା ସୁମୀ, “ନା ସେ ସବୁ କିଛି ନୁହେଁ।” ଏହା ପରେ ସେ କିଛି କଥା କହି ପାରିଲା ନାହିଁ….ସେହି ଆମ୍ବ ଗଛମୂଳେ ଲଥ କରି ବସି ପଡ଼ିଲା। ତାକୁ ଯେତେ ବୁଝାଇବାକୁ ଯେତେ ଚେଷ୍ଠା କଲେ ବି ତାର କୋହ ବନ୍ଦ ହେଉ ନଥାଏ। ବୁଝି ପାରୁଥାଏ ତାର ମନସ୍ତାପକୁ…ଉଛୁଳା ଅଭିମାନ ଟା ମୁହଁରୁ ସ୍ପଷ୍ଟ ବାରି ହେଉଥାଏ। କିଛି ସମୟ ପରେ ପୁଣି ବିକଳରେ କହିଲା, “ଲିପୁ କଞ୍ଚା ଆମ୍ବ ଗୋଟେ ଦେ ରେ। ମୋତେ କାହିଁ ବହୁତ ବାନ୍ତି ଲାଗୁଛି।” ଏହା ପରେ ସେଠାରୁ ଚାଲି ଯାଇଥିଲା। ପ୍ରତି ମୁହୂର୍ତ୍ତରେ ଅମୀ ଭାଇ ର ଅନୁପସ୍ଥିତି କୁ ଝୁରୁ ଥାଏ। ତା ଆଖିରେ ରହିଥାଏ ମେଞ୍ଚା ମେଞ୍ଚା ସ୍ବପ୍ନ। ଅମୀ ଭାଇ ର ପ୍ରେମରେ ପାଗଳ ବୋଲି ସେ ଦିନ ଅନୁଭବ କରି ପାରୁଥାଏ ଲିପୁ। ମଣିଷ ନିଜର ଅନ୍ୟ ମନସ୍କତାରେ କେତେ ବେଳେ ଝୁଣ୍ଟି ପଡ଼େ, ତାହା ନିଜେ ଜାଣି ପାରେନି। ଯେମିତି ସବୁ କିଛି ବିଗିଡ଼ି ଯାଇଥିଲା ସୁମୀ ଜୀବନରେ।

ସମାଜ ଆଉ ଲୋକ ଙ୍କ ଭୟରେ ବୋଧହୁଏ ସୁମୀ ର ଏହା ଥିଲା ଶେଷ ନିଷ୍ପତ୍ତି। ଅମୀ ଭାଇ ଏତେ ପାଠ ପଢ଼ି ଏମତି ଅବିବେକି କାମ କେମିତି କରି ପାରିଲେ? ବିଚରା ନିର୍ମାୟା ନିଷ୍କପଟ ସୁମୀ ପାଇଁ ଅମୀ ଭାଇ ର ଏଭଳି କାର୍ଯ୍ୟ ଠିକ ନ ଥିଲା। ପ୍ରଶ୍ନ ପରେ ପ୍ରଶ୍ନ ଆଉ ଉତ୍ତର ପରେ ଉତ୍ତର ନିଜକୁ ନିଜେ କରୁ କରୁ ବୁଝି ପାରିଲା ଲିପୁ ସେ ଦିନ ସୁମୀର କଞ୍ଚା ଆମ୍ବର ବିକଳତା। ଭାବୁଥିଲା ସୁମୀ ତା ଜୀବନ ର ଅଙ୍କକୁ ଏପରି କଷିଲା ଯାହାର ସମାଧାନ ନିଜେ ପାଇ ପାରିଲାନି। ବହୁତ ସ୍ୱାଭିମାନି ଟା ଖରା ଛାଇର ଖେଳରେ ମଉଳି ଗଲା। ଅଭିମାନରେ ଝରି ପଡ଼ିଲା। ଅମୀ ଭାଇ ବଡ଼ ଲୋକ ବାପାର ପୁଅ ଥିଲା। ବାପା ତାର ବଡ଼ ଅଫିସର। ବାଟ ଭାଙ୍ଗି ଚାଲିଯିବ ବୋଲି ସେ ବୁଝି ନଥିଲା। ଏ ପାଗେଳି ଟା ବୁଝି ନ ପାରି ଜୀବନର ଅବଶିଷ୍ଟ ସ୍ବପ୍ନକୁ ନିଜ ହାତରେ ଭାଙ୍ଗି ଚୁରମାର କରିଦେଲା। ବିଶ୍ୱାସର କାଳିରେ ଲେଖିଥିବା ସୁମୀର ଅଲିଭା ପ୍ରେମ କଥା ଭାବି ଭାବି ଦୀର୍ଘ ନିଶ୍ଵାସ ଟେ ମାରିଥିଲା ଲିପୁ। କେତେ ବେଳେ ଯେ ଖାଇବା ସମୟ ହୋଇ ଯାଇଥିଲା ସେ ବି ଜାଣି ପାରି ନଥିଲା। ଏହି ସମୟରେ ବୋଉ ର ଡାକ ଶୁଭିଲା….”ଆରେ, ତୁ କଣ ଆଜି ଖାଇବୁନି କିରେ ଲିପୁ?”

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.