ଆଲୋକ କୁମାର ପ୍ରଧାନ, ପୁରୀ, ୧୧ ସେପ୍ଟେମ୍ବର ୨୦୨୩
ଏପାଖରୁ ଦେଖିହୁଏ ଜୀବନକୁ ଭୋଗୀ ହୁଏ ନାହିଁ
ପହଞ୍ଚ ଖବର କେବେ ରୁହେ ଅବା ଅପହଞ୍ଚ ହୋଇ ।
ଏପାଖେ ବିଳପେ ମାଟି ସେପାଖରେ ଚେନାଏ ଆକାଶ
ଏପାଖେ ବଉଦ ଫାଟେ ସେପାଖରେ ଓଠଫଟା ହସ।
ଏପାଖେ ଜୀବନ ଋଷେ ସେପାଖରୁ ଆହାଃ ଶୁଭେ ନାହିଁ
ନିଅଣ୍ଟ ଖୁସି ସେପାଖୁ ଏପାଖକୁ ଇଡ଼ି ଆସେ ନାହିଁ ।
ପାପର ସଜ୍ଞାରେ ବନ୍ଧା ସେପାଖର ପୂଣ୍ୟ ସୀମାରେଖା
ଉହୁଁକି ଚାହିଲେ ପାପ ଭାଙ୍ଗି ପଡ଼େ ସେପାଖ ପରିଖା।
ବିଶ୍ବାସ ର କୁହୁ ଯଦି ସେପାଖରେ କୁହୁକ ଲଗାଏ
ଆଖି ଖୋଲି କାନ୍ଥ ଯଦି କେବେକେବେ ଦି’ପାଖେ ଅନାଏ
ଏପାଖର ଦେଖା କଥା ସେପାଖରେ ବଖାଣିବା ମନା
କାନ୍ଥ ବି ବଧିର ହୁଏ ଆଖି ଥାଇ କିଛି ବି ଦେଖନା ।
କାନ୍ଥ ବି ଏପାଖେ ଭାଙ୍ଗେ ସେପାଖରୁ ଭାଙ୍ଗି ଭାଙ୍ଗି ଗଲେ
‘କାନ୍ଥ ର ପା କାନ ଅଛି’ ଏ ପଦକ ଦି’ପାଖୁ ଶୁଣିଲେ ।।