ଆଲୋକ କୁମାର ପ୍ରଧାନ, ପୁରୀ, ୯ ଜୁଲାଇ ୨୦୨୪
କାଲି ଗୋଟେ ସ୍ବପ୍ନ ଥିଲା ତାହାର ବି ଥିଲା ଗୋଟେ ଘର ।
ତା ପାଇଁକି ମନ ତଳେ ନିତି କିଛି ସଜ ହେଉଥିଲା ।।
କାଲି ପରି ଲାଗୁଥିଲା ମୋତେ ଭାରି ନିଜର ନିଜର ।
ନାଭିର କସ୍ତୁରୀ ପରି ଅସ୍ତବ୍ୟସ୍ତ ମୋତେ କରୁଥିଲା ।।
ବଡ଼ଦାଣ୍ଡ ପରି ମୋତେ ଲାଗୁଥିଲା ତା ବଡପଣରୁ ।
ମାଉସୀ ମା ପରି ମୋତେ ଦେଉଥିଲା ପୋଡପିଠା ଖୋଇ ।।
ମମତାର ଧୂଳି ପରି ଶରଧାର ତା ପୂର୍ଣ୍ଣପଣରୁ ।
ରଥାରୂଢ଼ ଦିଅଁ ପରି ଦେଉଥିଲା ସବୁ ପାପ ଧୋଇ ।।
ଅନ୍ଧାର ଆଲୁଅ ମେଳେ ମାଳେ ସୁଖ ଦୁଃଖ ମେଳେ ଥିଲା ।
ଚୋରାବାଲି ପରି ମୋତେ ରଖୁଥିଲା ତା ଠୁଁ ଦୁରେଇ ।।
ଆସିବାର ପାଦଶବ୍ଦ ମୋ କାନକୁ ନିତି ଶୁଭୁଥିଲା ।
ମୋ ଦେହରେ ବହୁଥିଲା ତା ସୀମାର ଗୋଟେ ଭାବ ନଈ ।।
ଯାହା ଥିଲା ସେଦିନର ରହିଥାଉ ଖାଲି ସେଇମିତି ।
ସୁଖ ହୋଇ ଝୁଲୁଥାଉ ଦୁଃଖ ପଛେ ନହେଉ ମଣତି ।।