ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଡିସେମ୍ବର ୨୦୨୫
କିଛି କଥା ସହଜରେ ଭୁଲି ହୋଇଯାଏ
ଆଉକିଛି ଅହରହ ମନେ ରହିଥାଏ,
ପ୍ରଣୟ କଥା ପରାଣେ ପୂଲକ ଜଗାଏ
ବିରହ ବେଦନା ବ୍ୟଥା ମନ ଚହଲାଏ। ।।୧।।
କିଛି କଥା ନିରାଶାରେ ଆଶା ଭରିଥାଏ
ପୁଣି କିଛି ମନକୁ ଅସ୍ଥିର କରିଦିଏ,
କ୍ଷମତା କଥାରେ ଅହଂଭାବ ରହିଥାଏ,
ବିନୟ ବଚନ ସଦା ମନ ଜିଣିନିଏ। ।।୨।।
କିଛି କଥା ମନକୁ ଅଥୟ କରିଥାଏ
ଆଉ କିଛି ହୃଦୟେ ଆନନ୍ଦ ଭରିଦିଏ,
ଆଧ୍ୟାତ୍ମିକ କଥା ସଦା ଶାନ୍ତି ଆଣିଦିଏ
ରାମ କଥା ଭକ୍ତି ରସେ ଚିତ୍ତ ଭାଜି ଥାଏ ।।୩।।






