ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫
କିଛି କଥା କୁହାଯାଏ ନରମ ଗଳାରେ
ଆଉ କିଛି କଥା ପୁଣି କର୍କଶ ସ୍ୱରରେ,
ଗୁଣୀଜନଙ୍କର ବାଣୀ ବିନମ୍ର ଭାବରେ
ଖଳ ଲୋକଙ୍କର ଉକ୍ତି ଉଦ୍ଧତ ଠାଣିରେ ॥୧॥
କିଛି କଥା କହିହୁଏ ସଂଗୀତ ସ୍ୱରରେ
ଆହୁରି ଅନେକ କଥା ନୃତ୍ୟର ମୁଦ୍ରାରେ,
ସ୍ଥପତିର କଥା ଥାଏ ପାଷାଣ ମୂର୍ତ୍ତିରେ
କଳାକାର କଥା ରଖେ କଳା ସମ୍ଭାରରେ ॥୨॥
ଜନତାଙ୍କ କଥା ଥାଏ ବିନୟ ଢଙ୍ଗରେ
ଶାସକଙ୍କ ବାକ୍ୟ ରହେ ଦାମ୍ଭିକ ଭଙ୍ଗୀରେ,
ରାଜନୀତି ଚର୍ଚ୍ଚା ଚାଲେ ସଭା ସମିତିରେ
ନିର୍ବାଚନୀ ରଣନୀତି ଗୁପ୍ତ ବୈଠକରେ ॥୩॥
ପିଲାଦିନ କଥା ଯେତେ ସାଥୀଙ୍କ ମେଳରେ
ପ୍ରଣୟର କଥା ରହେ ନିବୁଜ ଛାତିରେ,
ମୁନିଋଷି ଆପ୍ତବାକ୍ୟ ଚିତ୍ତେ ଶାନ୍ତି ଭରେ
ଦିବ୍ୟପ୍ରେମ ରସ ଝରେ ନାମ କୀର୍ତ୍ତନରେ ॥୪॥






