ଆଲୋକ କୁମାର ପ୍ରଧାନ, ପୁରୀ, ୨୬ ଅଗଷ୍ଟ ୨୦୨୪
ପ୍ରେମରେ ଜୀବନ ଥାଏ ପ୍ରେମିକା ବି ଇଶ୍ଵରୀ ବୋଲାଏ।
ପ୍ରେମିକର ମନତଳେ ଇଶ୍ଵର ବି ଲୁଚି ବସିଥାଏ।।
ଯମୁନାକୁ ସାକ୍ଷୀ ରଖି ପ୍ରେମ କରେ କଦମ୍ବ ମୂଳରେ।
ବଂଶୀ ସାକ୍ଷୀ କୁଞ୍ଜ ସାକ୍ଷୀ ପ୍ରେମ ଧାଏଁ ଗୋଗଷ୍ଠ ସାଙ୍ଗରେ।।
ଭାବର ଦଉଡ଼ି ଧରି ଅଭାବର ନାଆ ବାହିବାହି।
କୃଷ୍ଣ ବୋଲି ଡାକିଦେଲେ ସବୁ କଷ୍ଟ ଯାଅଇ ଦୁରେଇ।।
ଜୀବନର ଚଲାବାଟେ ସେ ନାଆଁର ପଛେପଛେ ଯାଇ।
ସଂସାର ବାଟରେ ଚାଲେ ଜଞ୍ଜାଳ ବି ନପାରେ ଡରାଇ।।
ଆଦ୍ଯେ କୃଷ୍ଣ ଅନ୍ତେ କୃଷ୍ଣ ତୁଣ୍ଡେ କୃଷ୍ଣ ରଟି ଅହରହ।
ବାଟେ କୃଷ୍ଣ ଘଟେ କୃଷ୍ଣ ଘାଟେ କୃଷ୍ଣ ବାସେ ମହମହ।।
ଅସାର ସଂସାରେ ସାର ସେ ନାମରେ ସବୁ ପ୍ରାଣମୟ।
ଜୀବନମୟ ସଂସାର ଲାଗୁଥାଉ ଖାଲି କୃଷ୍ଣମୟ।।
ଜୀବନ ରଥେ ସାରଥୀ କୃଷ୍ଣ ନାମେ ଦିନ ବିତିଯାଉ।
କୃଷ୍ଣ ନାମ ତୁଣ୍ଡେ ଧରି ଏ ପିଣ୍ଡରୁ ପ୍ରାଣ ଚାଲିଯାଉ।।