ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୮ ଅପ୍ରେଲ ୨୦୨୪
ମାଆ ଗାଏ ଯେବେ ନୀରବ ରାତିରେ
ଲତାଗିରି ବନଗିରି
ତା ଗୀତ ଶୁଣିଲେ ଧାର ଧାର ହୋଇ
ଲୁହ ପଡ଼େ ମୋର ଝରି ।
କେତକୀ ଖଇର ଖିଲିପାନ ଖିଆ
ହସରୁ ଅମୃତ ଝରେ,
ମାଣିଆବନ୍ଧର ଶାଢ଼ୀ ଓଢ଼ଣାରେ
ଦେବୀ ପରି ସିଏ ଲାଗେ ।
ମାଆ ହାତଛୁଆଁ କଖାରୁ ଡଙ୍କରେ
ଲଦାଲଦି କେତେ ଫୁଲ,
ଶାଗ ପଟାଳିର ଶାଗ କେରାଟିଏ
ମୋ ପାଇଁ ଅମୂଲ ମୂଲ ।
ପକ୍ଷୀବସା ପରି ଘରକୁ କରିଛି
ରକତ ନିଗାଡ଼ି ଦେଇ
ଗାଁ ମାଟି ଘର ଠଣାରେ ସତେ କି
ତୁନି ତାନି ଦୀପ ହୋଇ ।
ଘରର ମଙ୍ଗଳ ଶୁଭ କାମନାରେ
ରାତିଦିନ ଜଳୁଥାଏ
ପଥର ପରି ସେ ସବୁ ସହିଥାଏ
ଛାତିକୁ ପଥର କରି
ମାଆ ଗାଏ ଯେବେ ନୀରବ ରାତିରେ
ଲତାଗିରି ବନଗିରି ।