ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୯ ଅକ୍ଟୋବର ୨୦୨୨
କାହାକୁ ପଚାରିବା
କେତେ ଭୁଲ୍ ଆଜିକାଲି
କାହାକୁ ପଚାରିବ, କାଂଥ ଶୁଣ୍
ବାଡ଼ ଶୁଣ୍ କହୁଥିବ, କହି ଚାଲିଥିବ
ବୁଲୁଥିବ ଶିଲଂରୁ ଦିଲ୍ଲୀ, ଦିଲ୍ଲୀରୁ ପୁରୀ,
ପୁରୀରୁ ଶିଲଂ, ବାଂଗାଲୋର, ପୁରୀ
ବ୍ରହ୍ମାଂଡ ପରିକ୍ରମା କରୁଥିବ
ପାଉନଥିବ ଉତ୍ତର
ଶବ୍ଦମାନେ ବୋଧେ ଏମିତି, ବେପରୁଆ
କେବେ ମଧୁଶାଳାରେ ତ କେବେ
ପାଂଥଶାଳାରେ
ହଜିଲା ଦିନ ପରି ନିରୁଦ୍ଦିଷ୍ଟ
ଶବ୍ଦମାନଂକୁ ଖୋଜିବା
କେତେ କଷ୍ଟ ସତରେ
ସବୁ ଶୀରପା ସଜାଡ଼ି ହୋଇ ରହିଥାଏ ମଶାଣିରେ
ଓ ମୁଁ ଚିରକାଳ ବଂଦୀ ଅସରଂତି
ପ୍ରଶ୍ନ ଭିଡ଼ରେ
ଅସମର୍ଥ ସତ୍ୟପାଠରେ !
ଯାହାର ଯିବା କଥା, ସିଏ ଯିବ
ତାକୁ ରୋକିବ କିଏ?
ହେଲେ କେତେ କଷ୍ଟ ଖାପଖୁଆଇ ଚଳିବା
ବଦଳୁଥିବା ସମୟ ସହିତ…..
ମୁଁ କେଉଁଠି ନିଜକୁ ଖୋଜିହେଉଛି
ମାନଚିତ୍ରରେ ମିଳୁନି ମୋର ଠିକଣା ଭୂଗୋଳରେ ବି
ପଚାରିଲେ, ଗୋଟିଏ ଉତ୍ତର, ଖୋଜ
ଖୋଜିଚାଲ ପାଅ କି ନପାଅ !
ମୋ ଗାମୁଛାରେ ବଂଧା ଦେଶ ତ
ପାପୁଲିରେ ପାପୁଲିଏ ଈଶ୍ୱର । ।