• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମାନସିକ

ମାନସିକ
Share on FacebookShare on Xshare on Whatsappshare on Linkedin
ରଶ୍ମୀ ସାମିଲ, ଭୁବନେଶ୍ୱର, ୧ ମାର୍ଚ ୨୦୨୪

ରମ୍ଭା ସକାଳୁ ଉଠି ଘରର ଯାବତୀୟ ବାସିକାମ ଯାକ ସାରି ସ୍ୱାମୀଙ୍କୁ ବିଛଣାରୁ ଉଠେଇ ତାଙ୍କ ନିତ୍ୟକର୍ମ ସବୁ କରାଇ ସେହି ଛୋଟିଆ ଫୋନ ଟିକୁ ଯାଇ ପାଖରେ ବାରମ୍ବାର ଦେଖୁଥାଆନ୍ତି। କାଳେ ପୁଅ ଶୁଭ ର କି ବୋହୂର ଫୋନ ଆସିଥିବ, ହେଲେ ନା, କିଛି ଖବର ନ ଥିବାରୁ ମୁଁହଟା ଶୁଖି ଯାଉଥାଏ। ଦୁର୍ଗା ପୂଜା ଖୁବ୍ କମ ଦିନ ରହିଲା, ପୁଅ ପାଇଁ ମାଆ ଙ୍କ ପାଖରେ କରିଥିବା ମାନସିକ ପୂଜାଟିଏ କରି କିପରି ସେଥିରୁ ଟିକେ ମୁକ୍ତି ପାଇବ ବୋଲି ଭାବିବା ବେଳେ ଅତୀତର ସବୁ ମୁହୁର୍ତ୍ତ ମାନ ଯେପରି କାନିରେ ଗଣ୍ଠି ପଡ଼ି ଯାଉଥାଏ। ପୁଣି…..ସବୁ ଆଶା, ଆକାଂକ୍ଷା, ସୁଖ, ଓ ଦୁଃଖ ଭରା ଲୁହ ଓଠକୁ ଛୁଉଁ ଥିବା ସମୟ ର ବିଶ୍ୱାସଟା ଝାପ୍ସା ଦେଖା ଯାଉଥାଏ। ଏମିତି ବସି ପୁଅ ଶୁଭ ର ଛୋଟ ବେଳର କଥା ଓ ତା ବାପାଙ୍କ କାମ ସବୁକୁ ମନେ ମନେ ଭାଳି ହେଉଥାଏ। ଆଜି ସିନା ବିଛଣାରେ ପଡ଼ି ରହିଲେ ତା ବାପା, ନହେଲେ ସେ ଥୟ ହେବା ଲୋକ ନୁଁହନ୍ତି।ସକାଳୁ ଯାଇ ଗାଁ ସେମୁଣ୍ଡରୁ ମକରା ଘରୁ କ୍ଷୀର ଆଣି, ବାଟରୁ ପୂଜା ପାଇଁ ନାନା ଜାତିର ଫୁଲ ତୋଳି ଚାଙ୍ଗୁଡ଼ିରେ ଭର୍ତ୍ତି କରି ଠାକୁର ଦୁଆରେ ରଖି ଦିଅନ୍ତି। କେତେ କଣ କାମ କରି ପକାନ୍ତି ତାର ହିସାବ ନଥାଏ। ଏହି ଅସ୍ଥିର କାମ ପାଇଁ କେତେ ଝଗଡ଼ା ନ ହୋଇଛି ତାଙ୍କ ସହ ମୋର ସେ କଥା ସବୁ କହିଲେ ସରିବନି। ସକାଳୁ ଉଠି ପିଜୁଳି ଡାଙ୍ଗ ଟାକୁ ପାଟିରେ ପୁରାଇ ଦାନ୍ତରେ ଢ଼ିଅ ମାରି ମାରି ଦାଣ୍ଡ ଦୁଆରେ ବସି ଯୁଆଡ଼େ ଯିଏ କାମରେ ଟିକେ ବାହାରିଯାଉଥିବ ପଛରୁ ଡାକି ଟିକେ ଗପ କରିବା ତାଙ୍କର ଗୋଟେ ବଦ ଅଭ୍ୟାସ। ମନେ ପଡ଼େ ଶୁଭ ର ପାଠ ପଢା ଦିନ ସବୁ ଓ ପରୀକ୍ଷା ବେଳର କଥା ଯେପରି କାଲି ଭଳି ଲାଗୁଛି।ଭୋର ଚାରିଟା ରୁ ଉଠି ଫୁଲ ତୋଳି ଗାଁ ଠାକୁରାଣୀଙ୍କୁ ଗାଧେଇ ଦେଇ ଭାଗବତ ଘରେ ଭୋଗ କରି ବୃନ୍ଦାବତୀ ଙ୍କ ପାଖେ ଧୂପ ଦୀପ ଦେଇ ପୂଜା ସାରି ଦୁଆର ମୁଂହରେ ଆମ୍ବଡାଳ ର ପୂର୍ଣ କଳସ ବସେଇ କାମ ସବୁ କିପରି ଜଲ୍ଦି ସାରିଥାଏ, କାହିଁକି ନା ପୁଅ ମୋର ପରୀକ୍ଷାକୁ ଯିବ। ବାପା ତାର ପଢା ସମୟରେ ବଡ଼ ପାଟିରେ ଯଦି କଥା ହୁଅନ୍ତି କେତେ ଗାଳି କରେ ତାଙ୍କୁ, “କ’ଣ କିଛି ବୁଝି ପାରୁନ, ଆଉ ବୟସ ତମର କେତେ ପାକଳ ହେଲେ ସବୁ ବୁଝିବ?” ହେଲେ ଛୋଟ ଛୁଆ ଭଳି ଚୁପ ହୋଇଯାଆନ୍ତି ମୋ କଥାରେ। ମୁଁ ସିନା ଅଳ୍ପ ପାଠ ପଢ଼ିଛି, ହେଲେ ପଢିଲା ପିଲାର ମାନସିକତା ଠିକ ବୁଝିପାରେ। ତାରି ଶୁଭକାମନା କରି କେତେ ଦିଅଁ ଦେବତା ପୁଜୁଛି, କେମିତି ପୁଅଟା ଭଲ ଚାକିରୀ ଖଣ୍ଡେ ପାଇବ। ତାର ଚିନ୍ତା ଯିବା ସହ ଆମ ଦୁଃଖ ବି ସବୁ ଉଭେଇ ଯିବ। ଏବେ କିନ୍ତୁ କାହିଁ ବୟସ ଯେତିକି ବଢୁଛି ମନ ଟା ସେତିକି ଦୁର୍ବଳ ହୋଇଯାଉଛି। ଖାଲି ବୋହୁଟା ଯଦି ବେଳେ ବେଳେ ଆସି ଟିକେ କଣ ସାହାଯ୍ୟ କରନ୍ତା ମନଟା ଖୁସି ଲାଗନ୍ତା।

ବାହାଘର ଦିନୁ ବାହାରେ ରହିଲା, ଯେବେ ଆସେ ତାରି ବାପା ମାଆ ପାଖକୁ ଚାଲିଯାଏ, ଏଠି ଟିକେ ଆମ ପାଖରେ ରହିଲେ ହୁଅନ୍ତାନି? ତା ମାଆ ବାପା ବି କିଛି ବୋହୁ କୁ ମୋର କହୁ ନାହାନ୍ତି। ଶଶୁର ବିଛଣାରେ ପଡିଛନ୍ତି, ଶାଶୁ ଶଶୁରଙ୍କ ପାଖକୁ ଟିକେ ଆସିବା ପାଇଁ ସେମାନେ କୁହନ୍ତେନି? ହଁ ଆଜିକାଲି ଶିକ୍ଷିତ ପିଲା କ’ଣ ଆଉ କରିବା?ଏବେ କିନ୍ତୁ ମୁଁ ଟିକେ କାମ କଲେ କାହିଁ ଧଇଁସଇଁ ଲାଗୁଛି। ଦଣ୍ଡେ ବସିଲେ ଟିକେ କାମ କରୁଛି। ଆଗରୁ କେତେ କଣ କାମ ସବୁ କରି ହେଉଥିଲା। ଘରେ ଗାଈ ଗୋରୁଙ୍କ କାମ, ଶାଶୁ ଶଶୁର ପିଲା ଛୁଆ ସମସ୍ତଙ୍କ ମନ ଲାଖି ଖାଇବା ବୁଝି ସମୟ ଟିକେ ବଳିଲେ କେତେ ରକମ ବିଞ୍ଚଣା, ଚଟେଇ, ମନ୍ଦୁରା ବୁଣୁଥିଲି। କୁଆଡ଼େ ଗଲା ସେ ସବୁ ଦିନ? ପୁଣି ପ୍ରତିବର୍ଷ ଏହି ଦୁର୍ଗାପୂଜା ପୂର୍ବରୁ ଢ଼ାଉ ଚିତାରେ ମାଟି କାନ୍ଥରେ ଛଅ ଆଖିଆ ଫୁଲ ଠାରୁ ଆରମ୍ଭ କରି କେତେ ପ୍ରକାର ଚିତ୍ର ହେଉଥିଲା, ଆମ ପୂର୍ବ ପୁରୁଷରୁ ପରା କଥା ଅଛି ମା ଦୁର୍ଗା କାଳେ ଆସି ଆମର ଘର ଘର ବୁଲନ୍ତି। ତେଣୁ ଷଷ୍ଠୀ ଦିନ ଠାରୁ ପ୍ରତି ଦୁଆରେ ଚିତା ଦିଆଯାଇଥାଏ ଢ଼ାଉ ରଙ୍ଗ କୁ ଶିଳ ଉପରେ ଘୋରୁ ଘୋରୁ ଏହି ସବୁ କଥା ମଧ୍ୟ ମନେ ପଡ଼ି ଯାଉଥାଏ।

ସେହି ସମୟରେ ବଡ଼ ପାଟିରେ ଡାକ ଛାଡ଼ିଲେ ଶୁଭ ର ବାପା, “ହଁ ରମ୍ଭା କ’ଣ ଶୁଭୁଛି ନା ନାହିଁ ତୁମକୁ, ପୁଅ ବୋହୂ କ’ଣ କିଛି ଫୋନ ଫାନ କଲେ ନା ନାହିଁ? ଦୁର୍ଗା ପୂଜା ପାଖେଇ ଆସିଲାଣି।” କଟା ଘା ରେ ଚୂନ ଦେବା ଭଳି ଲାଗିଲା ରମ୍ଭାକୁ ଏକଥା ପଦକ ଶୁଣି, ଆଖିରେ ଶ୍ରାବଣ ର ଚାରିଧାରା, ତଥାପି ଆଖିଏ ଲୁହକୁ ଲୁଚାଇବାକୁ ଯାଇ ଗମ୍ଭୀର ହୋଇ କହିଲେ, “କାହିଁ ସେମିତି ଏଡ଼େ ବଡ଼ ପାଟିରେ ରଡି କରୁଛ, ଚୁପ ଚାପ ଶୋଉନ? ବଡ଼ ଅଫିସର ମାନଙ୍କର କେତେ କାମ ତମେ କାହିଁ ସେ ସବୁ ଜାଣିବ? ଏହି ଗାଁ ପ୍ରାଇମେରୀ ସ୍କୁଲରେ ତମର ତ ତିରିଶ ବର୍ଷ କଟିଗଲା, ବାହାର ଦୁନିଆ କିଛି ଦେଖିଲନି, ତମେ ବା କାହିଁ ବୁଝିବ?” ସ୍ୱାମୀ ଙ୍କୁ ସିନା ଏପରି କଥା କହିଦେଉଥାଏ, ହେଲେ ଆଜି ହୃଦୟଟା ରାମ୍ପି ବିଦାରି ହୋଇଯାଉଥିଲା ପୁଅ ବୋହୂ ଆଉ ନାତି ନାତୁଣୀ କଥାକୁ ଭାବି ଭାବି।

ଆଉ ଚାରି ଦିନ ପରେ ଦୁର୍ଗାପୂଜା, ସମସ୍ତଙ୍କ ଘରେ ଝିଅ ଜ୍ୱାଇଁ, ପୁଅ ବୋହୂ, କୁଣିଆ ମୈତ୍ର ଭର୍ତ୍ତି, ପଡ଼ିଶା ଘର ସବୁ ଖୁସିରେ ଫାଟି ପଡ଼ୁଛି ଯେମିତି। ଦୁର୍ଗା ପୂଜା ପରେ ପୁଣି ଦୀପାବଳି। ବାଣ ଫୁଟେଇ ଦୀପ ଜାଳି କେତେ ଖୁସି ହୋଇଥାନ୍ତେ ପିଲାମାନେ ମୋର। ସ୍କୁଲ ମଧ୍ୟ ଏବେ ଛୁଟି। ଛୁଆମାନେ ମୋର ଏଠି ଟିକେ ବଡ଼ବଡୁଆ ଡାକିଥାନ୍ତେ। ଆମ ସଂସ୍କୃତି, ପର୍ବ ପର୍ବାଣୀ ବିଷୟରେ ଟିକେ ଜାଣିଥାନ୍ତେ। ସବୁବେଳେ ସେହି ବାହାରେ ତ ରହିଲେ କିଛି ଓଷା ପୁନେଇ ପରବ ବିଷୟରେ ଜାଣିଲେ ନାହିଁ। ପୁଅ ଟା ମୋର କେମିତି କେଜାଣି ବୋହୁ ଆଉ ପିଲାଙ୍କୁ ତା ଅଜା ଆଇ ଘରକୁ ସବୁବେଳେ ପଠେଇ ଦେଉଛି। ନିଜେ ଅଫିସ କାମ ଅଛି କହି ଆଉ ଆସିବା ନାଁ ଟିକେ ଧରିଲାନି। ଭାବୁଥିଲି ପଢ଼ା ଶୁଣା ପିଲାଟା ବୁଝି ପାରିବ ବାପା ମାଆଙ୍କର ହୃଦୟ କଥା। ହଁ କେମିତି ଏ କଥା ସବୁ ତା ବାପାଙ୍କୁ କହିବି?

ଚାଉଳ ଚୁରି, ସାହିର ସେ ଟୋକା ପ୍ରଶାନ୍ତ ହାତରେ ଗୁଡ଼, ଗୋଲମରିଚ, ଅଦା ସବୁ ଦୋକାନରୁ ମଗେଇ ରଖିଛି। ଭାରି ଭଲ ପାଏ ପୁଅ ମୋର ଚାଉଳର ସିଝା ମଣ୍ଡା ପିଠାକୁ।ମୁଗ, ନଡ଼ିଆ, ବିରି ପୁର ଦେଇ କେତେ ପ୍ରକାର ପିଠା କରି ଦେଇଥାନ୍ତି। ତା ପିଲା ମାନେ ବି ବାହାରେ ରହି ପିଠା ପଣା କ’ଣ ଜାଣି ପାରିଲେନି।ଭାବିଥିଲି ସମସ୍ତେ ଆସିଲେ ଦଶହରା ମଣ୍ଡା ଟିକେ ଖାଇବେ। ପୁଣି, ସେହି ସମୟରେ ଡାକ ଛାଡ଼ିଲେ ଶୁଭ ର ବାପା, “ଆରେ ରମ୍ଭା, ପରିଶ୍ରା ଜାଗା ଟା ପାଖକୁ ଆଣି ଦିଅ ଟିକେ।” ବାମ ହାତର କାନିରେ ଲୁହ ତକ ପୋଛି ଦୌଡ଼ି ଗଲେ ପାଖକୁ, ଛଅ ମାସ ହେଲା ବାରି ଦୁଆର ପାହାଚରୁ ପଡ଼ି ଚଟୁଆ ଟା ଖସି ଯାଇଛି। କେତେ ତେଲ ମାଲିସ କରି ପତ୍ର ରସ ଲଗାଲଗି ସରିଲାଣି। ଆୟୁର୍ବେଦିକ ଓ ଘରୋଇ ଚିକିତ୍ସା ସବୁ କରିଛି।ତଥାପି ଚାଲିବା ଭଳି କାହିଁ କିଛି ଦେଖା ଯାଉନି। ହଁ ଏ ବୟସରେ ଆଉ କ’ଣ ସେ ହାଡ଼ ଯୋଡ଼ି ହେବ? ବଡ଼ ଡାକ୍ତରଖାନା ନେଇଥିଲେ ଯଦି କିଛି ସୁଫଳ ମିଳିଥାନ୍ତା। କିଏ ଆଉ ପାଖରେ ଅଛି ଯେ ନବ? ଛାଡ଼ ଆମ ଭାଗ୍ୟରେ ଯାହା ଅଛି ଆମେ ଭୋଗୁଛୁ କ’ଣ ଆଉ କରିବା।

ବାପାତାର ବାରି ପଟ ପାହାଚରେ ଗୋଡ଼ ଖସି ଯେଉଁଦିନ ପଡିଗଲେ, ପୁଅ କୁ ସାଙ୍ଗେ ସାଙ୍ଗେ କେତେ କାନ୍ଦି କାନ୍ଦି ଫୋନ କଲି। ହେଲେ ପୁଅ ମୋର କହିଲା ପଡ଼ିଶା ଘର ପ୍ରଶାନ୍ତକୁ କହି ପାଖ ଡାକ୍ତର ପାଖକୁ ଟିକେ ନେଇ ଯା। ମୋର ସମୟ ନାହିଁ। ଯାହା ହେଉ ପୁଅ ବୋଧେ ବ୍ୟସ୍ତ ଭାବି ବହୁତ କଷ୍ଟରେ ସେ ସବୁ କାମ ସାରିଲି। ମାଇପି ଲୋକ ଟା କେତେ ଅବା କରିବି। ଏଡ଼େ ବଡ଼ ମର୍ଦ କୁ ଟେକିବା କାଠିକର ପାଠ ହୋଇଯାଉଛି। ବିଛଣାରେ ପଡ଼ି ପଡି ଚିଡ଼ି ଚିଡ଼ି ମଧ୍ୟ ହୋଇଗଲେଣି। ନାତି ନାତୁଣୀ ବୋହୁ କୁ ଟିକେ ଦେଖିଥିଲେ ଖୁସି ହୋଇଯାଇ ଥାନ୍ତେ। ହଁ ସେଥି ପାଇଁ ଫୋନ ରେ ପୁଅ କୁ ସବୁ କଥା କହିଥିଲି। “ମୁଁ ପଡିଶା ଙ୍କ ସହାୟତାରେ ଏଠାରେ ସବୁ ଚଳାଇ ଦେଉଛି। ଦଶହରା କୁ ଯାହା ବି ହେଉ ନିଶ୍ଚୟ ଆସିବୁରେ ପୁଅ। ମାଆ ଙ୍କ ପାଖରେ ତୋ ପାଇଁ ମାନସିକ ଟିକେ କରିଥିଲି, ତୁ ଆସିଲେ ପାଖ ଦୁର୍ଗା ମଣ୍ଡପ ଯାଇ ପୂଜା ସାରି ଦେଇ ଆସିବା।” ତଥାପି ପୁଅ ଟା ର ବୁଦ୍ଧି କେମିତି କେଜାଣି? କିଛି ବି ସିଏ ସେ କଥା ଗୁଡ଼ା ଭାବିଲାନି।

ମନେ ପଡ଼େ ସେ ଦିନର କଥା। ସାତ ବର୍ଷ ହୋଇଥାଏ ଶୁଭକୁ। ସାହି ପିଲାଙ୍କ ସହ ଚୋର ପୁଲିସ ଖେଳି ତା ବଡ଼ ବାପାର ଦୁଆର ମୁଁହରେ ପଡ଼ି ବାମ ଗୋଡ଼ ଟା ଭାଙ୍ଗିଗଲା, ଚିର ଚିର ହୋଇ କାନ୍ଦୁଥାଏ ସେହି ସମୟରେ।କିଛି ବୁଦ୍ଧି ବାଟ ଦିଶୁନଥାଏ, ବାପା ତାର ସଂଗେ ସଂଗେ କାନ୍ଧରେ ବସେଇ ପାଞ୍ଚ କିଲୋମିଟର ଦୂର ଡାକ୍ତର ପାଖକୁ ନେଇ ଯାଇଥିଲେ। ଡାକ୍ତର ଙ୍କ କହିବା ଅନୁସାରେ ଗୋଡ଼କୁ ବ୍ୟାଣ୍ଡେଜ କରି ପୁଣି କାନ୍ଧରେ ବସେଇ ନେଇ ଆସିଲେ। ପଚିଶ ଦିନ ବିଶ୍ରାମ ନେବାକୁ କହିଲେ ଡାକ୍ତର। ଦୁଇ ଜଣ ଆମେ ପାଳି କରି ତା ପାଖେ ପାଖେ ରହୁଥିଲୁ। କେତେ ଗପ ଗୀତ ତା ପାଖରେ ଦୁଇ ଜଣ ଯାକ କହୁଥିଲୁ। ଆଉ ସେହି ଦିନ ଠାରୁ ଦୁର୍ଗା ମାଆଙ୍କ ପାଖରେ ମୁଣ୍ଡିଆ ମାରି ଆଜି ଯାଏ ଉପାସ କରି ଆସୁଛି। ଆଜି ବାପାର ଗୋଡ଼ ଭାଂଗିବା ପରେ ପୁଅ କୁ ଟିକେ ସମୟ ମିଳୁନି।

ରମ୍ଭା ବୁଝି ପାରୁଥିଲା ଏହି ନିଷ୍ଠୁର ବିଧିର ବିଧାନ କୁ, ପରିବର୍ତ୍ତନ ଶିଳ ସମୟକୁ। ଆଖିର ଲୁହ ଛାତିର କୋହକୁ ଲୁଚାଇବାକୁ ଯାଇ ମାନବିକତାର ଚରିତ୍ରକୁ ଚିତ୍ରଣ କରିବାକୁ ପଛାଇ ନଥାଏ। ମାଆ ଟିଏ ହୋଇ ତାର ସନ୍ତାନକୁ ସଦା ତା ପଣତ କାନିରେ ଶୀତଳ ବୃକ୍ଷ ଛାୟାରେ ଘୋଡେଇ ରଖେ। ସବୁ ସମସ୍ୟାକୁ କିପରି ପରାସ୍ତ କରିବ ବାଟ ଖୋଜୁଥାଏ। ଏହି ପରା ହେଉଛି ମାଆର ଜୀବନ। ରମ୍ଭା ସେଥିରୁ କିପରି ବାଦ ଯିବ? ଏହି ସମୟରେ ଶୁଭିଲା ମାଆଙ୍କ ଆଳତି ଘଣ୍ଟ ଘଂଟା ଶବ୍ଦ। ପ୍ରଶାନ୍ତକୁ ବଡ଼ ବାପା ପାଖରେ ବସିବାକୁ କହି ଦେଇ ଚାଲିଗଲା ସେହି ଦୁଃଖ ହାରିଣୀ ଦୁର୍ଗତି ନାସିନୀ ମାଆ ଙ୍କ ପାଖକୁ। ମାଆଙ୍କ ପାଖରେ ଲମ୍ବ ହୋଇ ପଡ଼ିଯାଇ ଦୁଇ ହାତ କୁ ଯୋଡ଼ି, “ପୁଅକୁ ଭଲ ବୁଦ୍ଧି ଦିଅ ମାଆ” କହିବା ପରେ ସ୍ତମ୍ବିତ ଦ୍ରୁଷ୍ଟି ଲାଖି ଯାଇଥିଲା ତାଙ୍କଠାରେ। ଝାଉଁଳା ମୁଁହର ଆଖିରୁ ଦୁଇ ଗାଲ ଦେଇ ଝର ଝର ହୋଇ ବହି ଆସୁଥାଏ ଅନବରତ ଲୁହ। କିଛି କଥା ନା ପ୍ରକାଶ କରୁଛି ନାଁ ଭିତରେ ରଖି ପାରୁଛି। ସବୁ ଭୁଲିବାକୁ ଚେଷ୍ଠା କରି ମଧ୍ୟ ଭୁଲି ପାରୁ ନଥାଏ। ସ୍ୱାମୀ ଙ୍କ ଏ ଅବସ୍ଥା ରେ ଭାଙ୍ଗି ପଡ଼ିବା ସ୍ୱାଭାବିକ। ତଥାପି ପୁଅର ଶୁଭ ମନାସୁଥାଏ। ସେହି ସମୟରେ କିଏ ପଛରୁ ଡାକିଲା ପରି ଶୁଭିଲା, ଅପେକ୍ଷା ଥାଏ ଶୁଭ ଆସିଲା କି, ଚମକି ପଡ଼ି ପଛକୁ ଚାହିଁଲା, କାହାକୁ ନ ଦେଖି ମୁଁହଟା ଶୁଖିଗଲା। ମନେ ପଡ଼ିଲା ରମ୍ଭାର ଶୁଭ ର ବାପାଙ୍କ ଔଷଧ ଖାଇବା ସମୟ ହୋଇ ଗଲାଣି। ନିଜ ପଣତରେ ନିଜ ଆଖି ଲୁହ କୁ ପୋଛି ପୋଛି ଘରକୁ ଧାଇଁଲା।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.