ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଫେବୃଆରୀ ୨୦୨୪
ମଣିଷ ହାଟ ବସିଛି
ଏଠାରେ ମଣିଷ ହାଟ,
ବିକାଶର ପରା ଏହା
ଭିନ୍ନ ଏକ ପୁଟ ।। ୧ ।।
ନିରିହ ମଣିଷ ବସିଛି
(ଏଠି) ବିକ୍ରି ହେବା ପାଇଁ,
ଦିନେକି ଓଳିଏ ଲାଗି
ତାକୁ ଜଣା ନାହିଁ ।। ୨ ।।
କାମ ଖୋଜି ବୁଲୁଅଛି
(ସେହି) ନିରିହ ମଣିଷ,
ଅସ୍ଥି କଙ୍କାଳ ଦେହରେ
(ତା’ର) ନାହିଁ ପୁଳେ ମାଂସ । ୩ ।।
ଦଲାଲ ବସିଛି ତା’ର
ମୂଲଚାଲ ପାଇଁ,
ନିରିହ ଛାଗଳ ଭଳି
(ସେ) ରହିଛି ଅନାଇ ।। ୪ ।।
ବିକାଶର ମୁଖଶାଳା
ଆମ ରାଜଧାନୀ,
‘ଗରିଵୀ ହଟାଓ’ ପାଇଁ
(ଏଠି) ଅହରହ ଧ୍ୱନି ।। ୫ ।।
ମାଳ ମାଳ ଯୋଜନାରେ
ପୁଳା ପୁଳା ଟଙ୍କା,
ଗରିବ ମନରୁ ଦୂର
କରୁନାହିଁ ଶଙ୍କା ।। ୬ ।।
ନେତା ବାବୁଙ୍କର ଗାଡ଼ି
(ଏଠି) ଉଡ଼ାଉଛି ଧୂଳି,
ପଣ୍ୟ ମଣିଷ ବସିଛି
(ହାଟରେ) ଆଖି ମଳି ମଳି ।। ୭ ।।
ପ୍ରଗତିର ସୋପାନରେ
(ଆମେ) ହୋଇଛୁ ଆସୀନ,
ତଥାପି ହଟାଇ ପାରୁନୁ
ଦୁଃଖୀ ମଣିଷ ଦୁର୍ଦ୍ଦିନ ।। ୮ ।।
ଅବାଧେ ଚାଲିଛି ପରା
(ଏହି) ପଣ୍ୟ କାରବାର,
ବ୍ୟବସ୍ଥିତ କରିବାକୁ
କେହି ନୁହଁନ୍ତି ତତ୍ପର ।। ୯।।
ସକାଳୁ ଖାଇନି କିଛି
ସେ ରହିଛି ଓପାସ,
କାମ ମିଳିଯିବ ବୋଲି
ତା’ର ରହିଛି ବିଶ୍ୱାସ ।। ୧୦।।
ଭୋକର ଜ୍ୱାଳାରେ ସିଏ
ହୁଅଇ ଅସ୍ଥିର,
କାମର ଅଭାବ ତା’କୁ
କରେ ହରବର ।। ୧୧।।
ଘରେ କଅଁଳା ଶାବକ
(ଆଉ) ଛୋଟ ପିଲାଟିଏ,
ନୁଆଁଣିଆ ଝୁମ୍ପୁଡ଼ିଟା
ଖରାରେ ତାତିଯାଏ ।। ୧୨।।
ରୋଗୀଣା ମାଇପ ତା’ର
(ଘରେ) କଣ’ କରୁଥିବ?
ଜ୍ଵରରେ କଂପୁଥିଲେ ବି
(ପାଖରେ) ଔଷଧ ନଥିବ ।। ୧୩।।
ବଞ୍ଚିବାକୁ ହେବ ତାକୁ
ପରିବାର ପାଇଁ,
କେମିତି ଜିଇଁବ ଜୀବନ
ତାକୁ ବୁଦ୍ଧି ଦିଶୁନାହିଁ ।। ୧୪।।