ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୫ ଅଗଷ୍ଟ ୨୦୨୫
ଆକାଶର ଜହ୍ନ ଲୁଚାଏ ତା ମୁହଁ
ଭସା ବାଦଲର କୋଳେ,
ଏମାଟିର ଜହ୍ନ ଦେଖେନା ସପନ
ଥାଇକେତେ କଇଁ ମେଳେ। (୧)
ଚାନ୍ଦ କୁମୁଦ ଏକ ପାଇଁ ଏକ
ପ୍ରେମ ଜର୍ଜର ହୃଦେ,
ଶୀତଳ ଜ୍ୟୋତ୍ସ୍ନା କରେ ଆନମନା
ସ୍ୱପ୍ନର ସରହଦେ । (୨)
ଜହ୍ନ ଆସେ ଉଇଁ ଚେଇଁଉଠେ କଇଁ
ଭରା ପୁଷ୍କରିଣୀ ଜଳେ,
ମାଟିଜହ୍ନ କିବା ଖୋଜେତା ପ୍ରେମିକା
ଆକାଶର ତାରା ମେଳେ ! (୩)
ପ୍ରେମ ଉନ୍ମାଦ କୁମୁଦର ହୃଦ
ଶାନ୍ତ କରିବା ପାଇଁ,
ଶୀତଳ କିରଣ କରେ ବିତରଣ
ଚନ୍ଦ୍ର ଆକାଶେ ଥାଇ । (୪)
ଏଇଧରା ବୁକେ ଭାବନାରେ ଆଙ୍କେ
କୋଟି ପ୍ରେମିକାର ଛବି,
ଗଗନ ସମାନ ଏମାଟିର ଜହ୍ନ
ମାଟିର ମନସ୍କ କବି । (୫)