ଆଲୋକ କୁମାର ପ୍ରଧାନ, ପୁରୀ, ୨୨ ଜୁଲାଇ ୨୦୨୪
ମୋହନ ବଂଶୀର ସୁର ସୁରେ ସୁରେ ସମ୍ମୋହନ ଥାଏ।
କାନେ ବାଜୁ କି ନବାଜୁ ମନ ଦେହ ଉଚ୍ଚାଟ କରାଏ।।
ତିଳ ପରି ରୂପ ନେଇ ତାଳ ପରି ଦିଅଇ ଯନ୍ତ୍ରଣା।
ଡାକେ ଦୁରେ ଥିଲେ ପଛେ କୋଶକର ଦୁଃଖ ତା’ଠି ଊଣା।।
ଯେତେ ବୁଝେଇଲେ ବୁଝା ମନ କିନ୍ତୁ ସହଜେ ବୁଝେନି।
ଉପରୁ ଲୁଚେଇ ହୁଏ ଭିତରଟା ହୁଅଇ ବାହୁନି।।
ଝୁଣ୍ଟିଲେ ଅବା କାଶିଲେ ମନ ସଦା ପାପ ଛୁଉଁଥାଏ।
“ଆଉ ବୁଲି ଚାହିଁବିନି” କହିଲେ ବି ମନ ଝୁରୁଥାଏ।।
ଯେତିକି ଦୁରେଇ ରୁହ ସେତିକି ସେ ପାଖେ ଲାଗି ଆସେ।
ଯେତିକି ଅନ୍ଧାରେ ରଖ ସେତିକି ସେ ଜକଜକ ଦିଶେ।।
ଯେତିକି ଭୁଲିବ ବୋଲି ଜୋର କରି ମୁହଁ ବୁଲାଇବ।
ସେତିକି ସେ ଜୋକ ପରି ଅନାୟାସ ଲାଗି ରହୁଥିବ।।
ମୋହ ତ ମନ୍ଦରଗିରି ଖୁଆଦଣ୍ଡ ପରି ଘୁରୁଥିବ।
ଦୁଃଖ ଦେବ ସୁଖ ଦେବ ମୋହ ବିନା ବଞ୍ଚି କି ହୋଇବ??