ସମୀକ୍ଷକ: ଅବନୀ ଚନ୍ଦ୍ର ଦାସ
“ପ୍ରେମ ଏକ ନଈ”
(କବିତା ସଂକଳନ)
କବି : ପ୍ରଭୁ କଲ୍ୟାଣ ମହାପାତ୍ର
ରଚନା/ପ୍ରକାଶନ କାଳ : ୨୦୨୬
ପ୍ରକାଶକ :
ପୂର୍ବୀ ପ୍ରକାଶନୀ,
ଭୁବନେଶ୍ବର
ପ୍ରଚ୍ଛଦ ଅଳଙ୍କରଣ :
ଶଶିକାନ୍ତ ରାଉତ
ମୂଲ୍ୟ : ₹.୨୫୦.୦୦
ପୁସ୍ତକ ସମୀକ୍ଷା :
କିଛି କବିତା ପଢାଯାଏ, କିଛି କବିତା ଅନୁଭବ କରାଯାଏ। କବି ପ୍ରଭୁ କଲ୍ୟାଣ ମହାପାତ୍ରଙ୍କ “ପ୍ରେମ ଏକ ନଈ” ଦ୍ୱିତୀୟ ଶୈଳୀରେ ରଚିତ। ଏହା କେବଳ ଏକ କବିତା ସଂକଳନ ନୁହେଁ, ଏହା ଏକ ଦର୍ଶନ – ଯେଉଁଠି ପ୍ରେମକୁ କବି କୌଣସି ସୀମାବଦ୍ଧ ପୁଷ୍କରିଣୀ ମଧ୍ୟରେ ନୁହେଁ, ବରଂ କୁଳୁ କୁଳୁ ନାଦରେ ପ୍ରବାହିତ, କୂଳ ଲଙ୍ଘୁଥିବା ଏକ ନଦୀ ଭାବେ ପରଖି ନେଇଛନ୍ତି।
ବିଷୟବସ୍ତୁର ବିସ୍ତାର: ବହୁମାତ୍ରା ପ୍ରେମର ଫେନିଳ ଜଳ ରାଶି ଏଠି ବିସ୍ତାରିତ ହୋଇଥିବା ପ୍ରତୀତ ହୁଏ ।
ଏହି ସଂକଳନର ସବୁଠାରୁ ବଡ ସଫଳତା ହେଉଛି ପ୍ରେମର ସଂକୀର୍ଣ୍ଣ ପରିଭାଷାକୁ ଭାଙ୍ଗିବା। ଏଠି ପ୍ରେମ କେବଳ ଝିଅ ପୁଅ କିମ୍ବା ପ୍ରେମିକ-ପ୍ରେମିକା ମଧ୍ୟରେ ସୀମିତ ନୁହେଁ।
ବିଭୁ ପ୍ରେମ: ଯେଉଁ ପ୍ରେମ ଆରାଧ୍ୟ ଈଶ୍ୱରଙ୍କ ପ୍ରତି, ସୃଷ୍ଟି ପ୍ରତି ସମର୍ପିତ। ଏହା ସଂକଳନର ଆଧ୍ୟାତ୍ମିକ ମେରୁଦଣ୍ଡ ବୋଲି କହିଲେ ଯଥାର୍ଥ ହେବ ।
ସାମାଜିକ ପ୍ରେମ: କବିଙ୍କ ଦୃଷ୍ଟି ଫୁଟପାଥରେ ଶୋଇଥିବା ମଣିଷ, ଅବହେଳିତ ଶିଶୁ, ଚାଷୀ ଆତ୍ମହତ୍ୟାର ଲୁହ ଉପରେ ନିବଦ୍ଧ ହୋଇଛି ।
ଏଠି ପ୍ରେମ ହେଉଛି ସମବେଦନା, ଆଶ୍ୱାସନା। ସେ ଶାସନ, କ୍ଷମତା, ଚୌକିର ଅହଙ୍କାରକୁ ଘାଣ୍ଟି ଫେଣ୍ଟି ପ୍ରେମର ନଈରେ ଭସାଇ ଦେଇଛନ୍ତି। ଏହା ଏହି ସଂକଳନର କବିତା କଲ୍ଲୋଳକୁ କେବଳ ରୋମାଣ୍ଟିକ ନକରି ପ୍ରତିବାଦୀ ମଧ୍ୟ କରିଛି।
ବ୍ୟକ୍ତିଗତ ପ୍ରେମ: ବର୍ଷାଭିଜା ରାତିର ପ୍ରେମିକା ପାଇଁ ଥିବା ଆକୁଳତା, ସ୍ମୃତିରେ ଚେଇଁ ଉଠିଥିବା କାଲି ଓ ଆଜିର ବ୍ୟବଧାନ – ସବୁ ହୃଦୟର ଅତି ନିକଟତର ହୋଇଛନ୍ତି ।
ଶୈଳୀ ଓ ଭାଷା:
ପ୍ରତ୍ୟେକ ପଂକ୍ତି ରେ କବିଙ୍କ ଭାଷା ଶବ୍ଦ ଶୈଳୀ ଅତ୍ୟନ୍ତ ସ୍ୱଚ୍ଛ, ସରଳ ଓ ମାର୍ଜିତ। ଆଜିର ଅନେକ କବିତା ଯେତେବେଳେ ଦୁର୍ବୋଧ୍ୟ ଶବ୍ଦର ଜଟିଳତାରେ ହଜିଯାଉଛି, ପ୍ରଭୁ କଲ୍ୟାଣ ମହାପାତ୍ରଙ୍କ ଲେଖନୀ ଚେଷ୍ଟା କରିଛି ଗାଁ ମାଟିର ଶବ୍ଦକୁ ସାଉଁଟି ଆଣିବାକୁ। “ମୁସାଫେର”, “ବ୍ୟସ୍ତ ଜୀବନ”, “ଗାଁ ମାଟି” – ଏହି ଶବ୍ଦଗୁଡ଼ିକ ଅତି ସହଜରେ ପାଠକକୁ ଅତ୍ୟନ୍ତ ଆପଣାର ବୋଧ ହୁଏ।
ତାଙ୍କର ଶବ୍ଦ ବିନ୍ୟାସରେ ଏକ ନଈର ଛନ୍ଦ ଅଛି – କେତେବେଳେ କୁଳୁ କୁଳୁ, କେତେବେଳେ ଉତ୍ତାଳ, ଫେନିଳ ତ ପୁଣି କେବେ ବ୍ୟସ୍ତ ବିବ୍ରତ, ଧାବମାନ। ପ୍ରେମ ନଈରେ “ଉବୁଟୁବୁ” ହେବାର ଉପମା ବେଶ୍ ପରିଦୃଷ୍ଟ, ତାହା କବି କଲମର ସାର୍ଥକ ସର୍ଜନା ବୋଲି ମାନିବାକୁ ହୁଏ । ପାଠକ ପ୍ରତିଟି କବିତାରେ ବୁଡ ପକାଏ, ପ୍ରେମ ସ୍ରୋତରେ ଭାସେ, ପୁଣି ଉପରକୁ ଆସେ ଆଉ ଏକ ନୂଆ ଅନୁଭବ ନେଇ।
ଦାର୍ଶନିକ ପୃଷ୍ଠଭୂମି :
ଦାର୍ଶନିକ ଦୃଷ୍ଟି ଭଙ୍ଗୀରେ କବିତାର ଆଙ୍ଗିକ ପୃଷ୍ଠ ଭୂମିକୁ ନିରୀକ୍ଷଣ କଲାବେଳେ, ଯେବେ ଭାରାକ୍ରାନ୍ତ ଲାଗେ, ନଈ ଭଳି ପ୍ରେମର ପ୍ରବାହରେ ଭାସିଯିବାକୁ ମନ ହୁଏ ।
କବିଙ୍କ ଭାଷାରେ :
ପ୍ରେମ ଏକ ଆତ୍ମହରା ରୂପବତୀ ନଈ, xxxxxxx ଖୋଜୁଥାଏ ସାଥୀ ତାର ଅଭିସାର ପାଇଁ ।
xxxxxxx
ପ୍ରେମ ଏକ ମଦମତ୍ତ ଜୁଆରିଆ ନଈ , xxxxxxxx ଉଗ୍ର ରୂପେ ମହାଦ୍ରୁମ ନିଏ ସେ ଭସାଇ ।
ପ୍ରେମ ପ୍ରବାହର ନଦୀଧାରାରେ ଅବଗାହନ କରିବାକୁ ଓଡ଼ିଆ ପ୍ରେମୀ ପ୍ରିୟ ପାଠକ ମାନଙ୍କୁ ପ୍ରଛନ୍ନ ଆହ୍ବାନ ଦେଇଛନ୍ତି – ସାଂପ୍ରତିକ ସମୟର କବି ପ୍ରଭୁ କଲ୍ୟାଣ ମହାପାତ୍ର ତାଙ୍କ ସଦ୍ୟ ପ୍ରକାଶିତ କବିତା ସଂକଳନ ପ୍ରେମ ଏକ ନଈ ମାଧ୍ୟମରେ ।







