ଆଲୋକ କୁମାର ପ୍ରଧାନ, ପୁରୀ, ୨୭ ମଇ ୨୦୨୪
କିଏ ବା ଦେଖିଛ କୁହ ହସ ତଳୁ ଲୁହର ଦରଜ।
କିଏ ବା ମାପିଛ କୁହ ଦୁଃଖଠାରୁ ସୁଖ କେତେ ଗଜ।।
କେତେ ଦୁରେ ଲୁହ ଥିଲେ ହସ ଓଠେ ଧରାଦିଏ ନାହିଁ।
ଏକା ସାଙ୍ଗେ ହସ ଲୁହ ଚାଲନ୍ତି କି ନିଜଠୁଁ ଦୁରେଇ।।
କେମିତିକା ସରେ ଦିନ ଜୀବନଟା ମିଠାମିଛ ଜାଣି।
ସଭିଏଁ ନିଜର ପରି ଆପଣାର ହୁଏ ନାହିଁ ମଣି।
ସବୁକୁ ମୁଁ ମୋର ମଣେ କାହାରିକୁ ଛୁଇଁ ପାରେନାହିଁ।
ଛୁଇଁବା ଆଶାରେ ଧାଇଁ ଦିନୁଦିନ ଅଛୁଆଁ ହୁଅଇ ।।
ଗପପରି ଲମ୍ବିଛି ମୁଁ ଧିରେଧିରେ ଲମ୍ବେଇଛି ଗୋଡ଼ ।
କବିତା ଛୁଇଁଲା ପରି ଛୁଇଁ ଛୁଇଁ ବୁଲାଣି ଓ ମୋଡ଼।
ଝୁଲିଛି ଗଜରା ପରି ଝୁମେଇଛି ଗଜଲ୍ ସଞ୍ଜରେ।
ଚାଲିଛି ମୁଁ ଢେର୍ ବାଟ ନିଜକୁ ମୁଁ ଭେଟିବା ଆଶାରେ।।
ହାରିବା ହରେଇବାର କେତେ ସଞ୍ଜ ରାତିକୁ ଭେଟିଛି।
ସକାଳକୁ ସଞ୍ଜକଥା ମନେରଖି କିଏ ବା ଚାଲିଛି !!