ଆଲୋକ କୁମାର ପ୍ରଧାନ, ପୁରୀ, ୬ ନଭେମ୍ବର ୨୦୨୩
ଘୁରିଲି ଏନ୍ତୁଡ଼ିଶାଳୁ ଯୂଇ ଯାଏଁ ଘୁରିବି ଏମିତି।
ବେଗ କେବେ କମୁଥିବ ବଢୁଥିବ ଛାଟେଣୀକୁ ଚାହିଁ ।।
ସୂତାତେଢା ହେଲେ କାଳେ ଲୟରଖି ବୁଲିବି ସେମିତି।
ଯେମିତି ବୁଲିବା ଛଡ଼ା ଜୀବନରେ ଆନ ଗତି ନାହିଁ।।
ଡେଇଁ ଡେଇଁ ବୁଲୁବୁଲୁ କେବେକେବେ ସ୍ଥିର ହେବା ଥୟ।
ଥୟ ହୋଇ ଥିର୍ କରି କାନଦାଢେ ଗୀତ ଗାଉଥିବି।।
ହାତରେ ମୁଁ ପୋଷାମାନି ପୋଷୁଥିବି ବିଶ୍ବାସର ଦାୟ।
ଦ୍ବନ୍ଦରେ ଆଘାତ ପାଇ କ୍ଷତ ସବୁ ଦେହରେ ଆଙ୍କିବି ।।
ଗଢଣ ମୋ ଗଢୁଥିବ କା ମନରେ ଅନେକ ଭାବନା।
କାଠ ମୁଁ କାଠଟେ ହେବି ତୁଟିଗଲେ ଘୁରିବାର ମୋହ।।
ଘୁରିବା ଆରମ୍ଭଠାରୁ ଶେଷ ଯାଏଁ ଅନେକ ଯାତନା।
ଦେହ ଯେବେ ନଟୁ ହୁଏ ନଟୁ ପୁଣି ହୁଏ ଗୋଟେ ଦେହ ।।
ଜୀବନରେ ଭେଟ ହୁଏ ନଟୁ ଆଉ ନଟୁର ଜୀବନ ।
ନଟୁ-ସୁତା ଖେଳ ମେଳେ ଜୀବ ଭୋଗେ ନଟୁର ନିର୍ବାଣ।।