ଆଲୋକ କୁମାର ପ୍ରଧାନ, ପୁରୀ, ୨ ଜାନୁୟାରୀ ୨୦୨୩
କେବେ ନିଦ କେବେ ନିଦ ନଅରରେ ନଅଙ୍କ ବାନ୍ଧଇ ବସା ।
କେବେ ନିଦାଘର ବାଇଆ ବସାରେ ନିଦ ଲେଖେ ଚଉତିଷା।।
କେବେ ନିଅଁ ଖୋଳେ ନିଦ ବାରିପଟେ ସାତ ସପନର ରାତି।
କେବେ ନିଆଁ ଗିଳେ ନିଦରେ ନିଦରେ ନିଦୁଆ ଆଖିର ତାତି।।
ଜାଙ୍ଗୁଲୁ ଜାଙ୍ଗୁଲୁ ମନ ଗୋହିରୀକୁ ଡିଆଁ କରେ ଡିଏଁ ନିଦ।
ପୂଣ୍ୟ ର ନଈରୁ ପାପ ଗଡଖାଇ ପାତୁଥାଏ ଚଉପାଦ।।
ନିଦ ନଈତୁଠ ନିରିମାଖି ହସ ନହୁଲୀ ନହକା କଟୀ
କା’ପାଇଁ ତ୍ଯାଗ ର ଚାପ ଚନ୍ଦନ କା’ ପାଇଁ ଉଷୁମ ପଟି।।
କାହାପାଇଁ ନିଦ ଆଖିକୁ ଛୁଏଁନି ପ୍ରଶାନ୍ତି ର ଧାରେ ହସ।
କାହା ମନ ତଳୁ ଚୋରୀକରେ ନିଦ ଫଗୁଣର ଫଗୁମାସ।।
କାହାପାଇଁ ନିଦ ଚିରା ପଣତରେ ଦରଲିଭା ସଞ୍ଜ ବତୀ।
କାହାପାଇଁ ନିଦ କଂସେ ପଖାଳରେ ଶାନ୍ତି ର ଅମରାବତୀ।।
ଭାରି ଭଲ ଲାଗେ ନିଦନଈ ଧାରେ ଆଖି ଯେବେ ଗୀତ ଗାଏ।
ଥରେ ଛୁଇଁ ଦେଲେ ଆଖିକୁ ସପନ ଆଖି କିଏ ନିଦ କିଏ।।