ଆଲୋକ କୁମାର ପ୍ରଧାନ, ପୁରୀ, ୨୧ ଜାନୁଆରୀ ୨୦୨୫
କିଛି କଥା ଏମିତି ବି ଥାଏ ଯେତେ କୁହ ଅଧାରେ ହିଁ ରୁହେ
କମାଠାରୁ ପୂର୍ଣ୍ଣଛେଦ ଯାଏଁ ଆଉ ହୋଇ ଯୋଡ଼ି ଚାଲି ଥାଏ
ବିରାମର ବାଟ ଭୁଲି ଭୁଲି ଅବିରାମେ ଚାଲିବା ବାଟରେ
କେଜାଣି ସେ କେମିତିକା ପାଦରଖି ଚାଲେ ନାଆ ଦି ମଙ୍ଗରେ
କିଏ କେତେ ଆପଣାର କିଏ ବନ୍ଧୁ ଆଉ କିଏ ସହୋଦର
ଅତୀତ କୁହୁଡ଼ି କିଏ ନଈ ତୁଲେ ରୁଷିବସେ ହୋଇ ପାରାବାର
ଆଞ୍ଜୁଳାଏ ସ୍ବପ୍ନ କିଏ କିଏ ଏଠି ସ୍ବପ୍ନହନ୍ତା ନିଅଣ୍ଟିଆ ହସ
କା ଆଖି ଆକାଶ ଖୋଜେ କା ଲୁହ ଲହରା ଢଳିଲା ବୟସ
କିଏ ମାପେ ଶୂନ୍ୟତାକୁ କିଏ ଅବା ଝୁଣ୍ଟେ ପୂର୍ଣ୍ଣ ହେଉହେଉ
ପାପର ସଂହିତା ଦେହେ କିଛି ପୂଣ୍ୟପଣ ଭରି ଦେଉ ଦେଉ
କିଛିରେ ଉତ୍ତର ଖୋଜି ଆଉ କିଛି ପ୍ରଶ୍ନ ଯୋଡ଼ି ତା ସାଥିରେ
‘ଓ’ପରି ବାନ୍ଧି ଦେଇ ଖୁସିହୁଏ ବନ୍ଧନର ଓ ପଣଠାରେ
‘ଓ’ଗୋଟେ କ’ଣ? ପଚାରିଲେ ଜୀବନର ଗୋଲେଇ ଛକରେ
ଉତ୍ତରରେ ଫେରେ ଯୋଡ଼ିଦେଇ କିଛି ‘ଓ’ ସମୟ ଫାଙ୍କରେ।।