ଆଲୋକ କୁମାର ପ୍ରଧାନ, ପୁରୀ, ୨୫ ସେପ୍ଟେମ୍ବର ୨୦୨୩
ଉଡ଼ିବା ପଡ଼ିବା ଝରିବା ଝୁରିବା ସବୁର ତ ଆଧାର ଏ ଦେହେ
ସବୁ ଆରମ୍ଭର ଶେଷ ଯେଉଁଠାରେ ନାନାବାୟା ଗୀତଟିଏ ହୁଏ
ଶୁଭେନା ସେ ସୁର ଫେରେ ଅନାୟାସେ ପଞ୍ଜରା ରେ ଧକା ଖାଇ ଖାଇ ।
ପିଞ୍ଜରାବଦ୍ଧର ମୁକତି ପଥରେ ସଞ୍ଜ ଆଉ ସକାଳବା କାଇଁ ???
ସବୁ ସପନର ପରିସୀମା ଯହିଁ ସମାଧିର ରୂପଟାଏ ନିଏ
ସେଇଠି ପିଞ୍ଜରା ଲେଖିଦିଏ ତା ହତାର ଅସ୍ତିତ୍ବ ଧାଡ଼ିଏ
ଅସ୍ତ ଯାଉଥାଏ ଯହିଁ ଭାଗ୍ୟ ଆଉ ଭବିଷ୍ୟତ ସବୁ ଏକା ସାଥେ
ଅତୀତଟା ଝୁଣ୍ଟୁଥାଏ ଝୁଣୁଥାଏ ବାରବାର ବର୍ତ୍ତମାନ ନ ଯାଏ ପରତେ ।
ଆବଦ୍ଧ ଆଖିରେ ନାଚେ ବଦ୍ଧଭୂମି ରକ୍ତସ୍ରାବୀ ମୃତ୍ୟୁ ର ଇଲାକା
ସାଥୀ ଥାଏ ସଖ୍ଯ ଥାଏ ନୀଡ଼ ଥାଏ ଲାଗୁଥାଏ ଭାରି ଏକାଏକା ।
ନିଜକୁ ନିଜଠି ଯୋଡ଼ି ଫେଡ଼ୁଥାଏ ଗୁଣିକରି ଭାଗ କରୁଥାଏ
ଭାଜ୍ଯ ବିଭାଜିତ ହୂଏ ଭାଗଶେଷ ବାରବାର ହିଡ଼ ପରି ଥାଏ ।
ପଞ୍ଜୁରୀ ପିଞ୍ଜରା କାଠି ଭାଜିଲେ ବି ବଳ କୋଉ ଡେଣାରେ କି ଥାଏ
ଚିହ୍ନା ଚିହ୍ନା ପଞ୍ଜୁରୀ ରେ ଉଡ଼ାଣଟା ଭୁଲିଯାଇ ନିଜ ପାଖେ ଠିକଣା ହଜାଏ ।