• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପରିଚୟ

ପରିଚୟ

sadness of child

Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ଵର, ୪ ଜାନୁଆରୀ ୨୦୨୩

ସ୍ୱାମୀ ଙ୍କର ପୋଲିସ ଚାକିରୀ, ଆଜି ଏଠି ତ କାଲି ସେଠି କୌଣସି ଗୋଟିଏ ଜାଗାରେ ସ୍ଥିରତା ନଥିବାରୁ ସୁରୁଜା ତାର ପିଲା ମାନଙ୍କୁ ଧରି ନିଜ ସହର ଭୁବନେଶ୍ୱର ରେ ହିଁ ରହୁଛି।ତେଣୁ ପିଲାଙ୍କର ପାଠ ପଢା ଠୁ ଆରମ୍ଭ କରି ଜିନିଷ ପତ୍ର କିଣାକିଣି ଯାଏ ସବୁ କିଛି ତାକୁ ହିଁ କରିବାକୁ ପଡ଼େ। ପୂଜା ପାଇଁ ନୂଆ ଡ୍ରେସ ପଟା କିଣିବାକୁ ଅତି ବ୍ୟସ୍ତ ବିବ୍ରତ ହୋଇପଡ଼ୁଥାଏ ସୁରୁଜା। ଦ୍ୱିପ୍ରହର ର ଖାଇବା ସାରି ପିଲା ଙ୍କୁ ଧରି ବଜ଼ାର ଯିବା ପାଇଁ ପ୍ରସ୍ତୁତ ହୋଇପଡ଼ିଲା।ତର ତର ହୋଇ ଡ୍ରାଇଭର କୁ ଡାକି ବାହାରି ପଡ଼ିଲା। ଯାଉ ଯାଉ ଘର ଦୁଆର ମୁଂହରେ ବଣି ଚଢ଼େଇ ଦୁଇଟିକୁ ଦେଖି ଭାବୁଥାଏ ଆଜି ବୋଧେ ମୋର କିଏ ନୂଆ ବନ୍ଧୁ ଦେଖାହେବେ। ଏମିତି ଭାବି ଭାବି ବଜ଼ାର ପାଖରେ ପଂହଁଚି ସାରିଥିଲା।ଏ ଦୋକାନ ରୁ ସେ ଦୋକାନ ସବୁ ଜିନିଷ ଦେଖୁ ଦେଖୁ ସନ୍ଧ୍ୟା ହୋଇ ଆସିଲାଣି। ପୁଣି ଘରେ ପଂହଁଚି ରାତି ପାଇଁ ରୋଷେଇ କରିବାର ଅଛି।ସୁରୁଜା ର ସେହି ବୁଲିବା ଭିତରେ ହଠାତ ନଜର ପଡ଼ିଲା ଏକ ବିରାଟ ସୁସଜ୍ଜିତ କୋଠା ଉପରେ ଯାହାର ଆଗରେ ଲେଖା ହୋଇଥିଲା, ମୋନି ରାଣୀ କୋଠି। ହତବାକ ହୋଇ କିଛି ସମୟ ଚାହିଁଲା ଆଉ ଅଠର ବର୍ଷ ତଳର କଥା ମନେ ପକେଇଲା। ମୋ ପିଲା ଦିନର ସାଙ୍ଗ ସେହି ମୋନି ନୁହେଁ ତ? ନାହିଁ ମ, ସେ କାହିଁ ଏଠାକୁ ଆସିବ, ଏଇଟା ଗୋଟେ ବଙ୍ଗଳା ଭଳି କ’ଣ ଦେଖାଯାଉଛି। ଏମିତି କିଛି ସମୟ ଆଗ ପଛ ବିଚାର କରି ପିଲାମାନେ ଗୁପ ଚୁପ ଆଉ ଚାଟ ଖାଇବା ସମୟରେ ସୁରୁଜା ସେହି କୋଠା ଆଡକୁ ମୁଁହାଇଲା। ଅତୀତର ସବୁ କଥା ଭାବୁଥାଏ। ପ୍ରଥମ ଶ୍ରେଣୀରୁ ସାଙ୍ଗ ହୋଇ ଆମେ ଆମ ଗାଁ ସ୍କୁଲ ରୁ ମାଟ୍ରିକ ପାସ କଲୁ। ତାଙ୍କ ଘର ଠାରୁ ଆମ ଘର ବେଶି ଦୂର ନ ଥିଲା। ତା ପରେ ଗୋଟିଏ କଲେଜ ରେ ସାଙ୍ଗ ହୋଇ ପଢ଼ିଲୁ। ତାର ସୁନ୍ଦରତା ଦେଖି ଆମ ସାଙ୍ଗ ମାନେ ସମସ୍ତେ ତାକୁ ଅପସରି ବୋଲି ଡାକୁଥିଲେ। ରୂପ ସାଙ୍ଗକୁ ତାର ମେଳାପୀ ଗୁଣ ଆହୁରି ଅଧିକ ସୁନ୍ଦର କରୁଥିଲା। ତାର କଜଳ ଲଗା ଢଳ ଢଳ ଆଖି, ପଦ୍ମ ପାଖୁଡା ସଦୃଶ୍ୟ ଓଠ, ଆଉ କଥା କୁହା ଚେହେରା ଦେଖିଲେ କେହି ବି ତା ପ୍ରତି ଆକର୍ଷିତ ହୋଇଯିବ। ମୁଁ ଯେତିକି ଜାଣିଥିଲି ସେ କାହା ପ୍ରତି ଆକର୍ଷିତ ହୋଇ ନଥିଲା। ଏମତି ଭାବି ଭାବି ଧୀରେ ଧୀରେ ପାଦ ଆଗକୁ ବଢୁଥାଏ ସେହି ଗଳିର କୋଠା ଅଭିମୁଖେ। ଧାଡ଼ି ଧାଡ଼ି କୋଠା ଘରର ମଝିରେ ସନ୍ତସନ୍ତିଆ ଛାଇଛାଇଆ ଆଇଁସିଣୀଆ ଗନ୍ଧ ବାହାରୁଥିବା ଅନ୍ଧାରୁଆ ଗଳିରୁ। ସୁରୁଜା ଦେଖିଲା ବହୁତ ଦାମୀ ଗାଡ଼ି ସବୁ ଧାଡ଼ି ଲାଗିଛି, ଭୟ ବି ଟିକେ ଲାଗୁଥାଏ। ସତେକି ପଛରୁ କିଏ ଟାଣି ଧରୁଥାଏ। କିନ୍ତୁ ନା, ମୋତେ ଯିବାକୁ ହିଁ ହେବ। ମୋ ମନ କାହିଁ କହୁଛି ମୋର ସେହି ଶୈଶବର ସାଙ୍ଗ ମୋନି ହୋଇଥିବ। କଲେଜ ର ଶେଷ ବର୍ଷ ବାର୍ଷିକ ଉତ୍ସବରେ ଶେଷ ଦେଖା ହୋଇଥିଲା। ଏବେ ଦେଖିଲେ କେତେ କଣ ଗପିଯିବ ତାର ହିସାବ ନାହିଁ।ନାଚ ଗୀତ ସବୁଥିରେ ଓସ୍ତାଦ୍ ଥିଲା ସେ। ନାଚରେ ସେ ଦିନ ଷ୍ଟେଜ ତାଳିରେ ଫାଟିପଡ଼ୁଥିଲା। ଏହା ମଧ୍ୟରେ ବହୁତ ବର୍ଷ ଅତିବାହିତ ହୋଇ ସାରିଲାଣି। କୋଠାର ଦ୍ୱାରରେ ପାଦ ଯୋଡ଼ିକ ଭୟର ଶିକୁଳିରେ ଯେପରି ବାନ୍ଧି ହୋଇଯାଉଥାଏ। ନିଜକୁ ଯେପରି ଦୋଷୀ ଦୋଷୀ ମନେ କରି ଉପରକୁ ଉଠିଲା ସୁରୁଜା। ସମ୍ମୁଖରେ ଦେଖିପାରୁଥାଏ ମୋନିକୁ। ବୟସର ଛାପ ବାରି ହୋଇ ପଡ଼ୁଥାଏ, କିନ୍ତୁ ତାର ସୁନ୍ଦରତା ସେମିତି ଝଟକୁ ଥାଏ। ସୁରୁଜା କୁ ପଚାରୁଛି କାହାକୁ ଖୋଜୁଛନ୍ତି କି ନା ଭୁଲ ରେ ଏଠାକୁ ଆସିଗଲେ କି। ଏତିକି କଥା ସରିବା ଆଗରୁ ସୁରୁଜା କହିଲା, ମୋନି ତୁ କଣ ତୋର ସୁରୁଜା କୁ ଚିହ୍ନି ପାରୁନୁ ।କିଛି ସମୟର ନୀରବତା ପରେ ମୋନି ଭୋ କରି କାନ୍ଦି ଉଠି କୁଣ୍ଢେଇ ପକେଇଲା। ପାଖରେ ଥିବା ସୋଫାକୁ ଟାଣି ନେଇ ବସେଇଲା। ସୁରୁଜା ଦେଖୁଥାଏ ଭିତରେ ସବୁ ସୁସଜିତ ପଲଙ୍କ। ଆଉ ସେହି ପଲଙ୍କ ଉପରେ ଜଣେ ଜଣେ ସୁନ୍ଦରୀଙ୍କୁ। ସତେ କି ଲାଜକୁଳୀ ଲତା ପରି ଗଜରା ବାନ୍ଧି ଲାଜେଇ କାହା ଅପେକ୍ଷାରେ ଯେପରି ଅଛନ୍ତି। ଘର ସବୁ ଅତର ବାସ୍ନାରେ ଫାଟି ପଡୁଥାଏ। ମୁ କିଛି ପଚାରିବା ପୂର୍ବରୁ ସେ ମୋତେ ପଚାରିଲା ତୋର ପିଲା ମାନେ ଆଉ ତୋର ସ୍ୱାମୀ?ଏମିତି ଅନେକ ପ୍ରଶ୍ନ। ମୋର ନୀରବତା ରୁ ଜାଣି ପାରି କହିଲା ହଁ ମୋ ବିଷୟରେ ଶୁଣିବୁ ତ ସୁରୁଜା? ଠିକଅଛି ସବୁ କହିବି। ତୋର ଧର୍ଯ୍ୟ ଅଛିତ, ମୋର ମୋନି କୋଠିର ରାଣୀ ହବାର କାହାଣୀ ଶୁଣିବାକୁ?ବେଳେ ବେଳେ ମଣିଷ ଅଚାନକ ଏମିତି ଗୋଟେ ଗୋଟେ ପର୍ଯ୍ୟାୟରେ ପଂହଁଚି ଯାଏ ସବୁ ପୁରୁଣା କଥା କେବଳ ଶବ୍ଦରେ ରହିଯାଏ।

କୋହ ଭରା କଣ୍ଠରେ କହିବାକୁ ଆରମ୍ଭ କରିଥିଲା। କଲେଜରେ ଯେଉଁ ଦିନ ସେ କଣ୍ଟ୍ରାକ୍ଟର ର ପୁଅ ବିକାଶ ନୂଆ କରି ଟ୍ରାନ୍ସଫର ହୋଇଆସି ଆମ ସହ ପାଠ ପଢ଼ିଲା, ସେବେ ଠାରୁ ତା ନଜର ସଦା ସର୍ବଦା ମୋ ଉପରେ ରହିଲା। ଜବର ଦସ୍ତ ଭଲ ପାଇବାର ଧମକ ଚମକ ରେ ସତେ ଯେପରି ମୋ ଜୀବନରେ ଝଡ଼ ଆସିଗଲା। ଚିଠି ଆଉ ଅସମୟରେ ଦେଖା କରିବାର ଧମକ ରେ ଡରି ଯାଇଥିଲି। କାଁହିକି କେଜାଣି ଏମତି ଏକ ମୁହୂର୍ତ୍ତରେ ବିକାଶ ର ଗୋଟିଏ ପଦ କିଭଳି ଲମ୍ପଟର ଚୁମ୍ବକୀୟ ଶକ୍ତି ପୁଣି ମୋତେ ଟାଣି ନେଲା। ତାହା ଆଜି ସୁଧା ମୁଁ ନିଜେ ବିଶ୍ୱାସ କରି ପାରୁନି। ଜୀବନର ଗତି ପଥକୁ ସତେ ଯେପରି ବଦଳେଇ ଦେଇଥିଲା। ସେ ଦିନ ବିକାଶର ଛଳନାର ସ୍ୱରରେ ଦେହରେ ମୋର ଶିହରଣ ଖେଳି ଯାଇଥିଲା। ମୋ ମନ ଟିକେ ଦୋହଲି ଯାଇଥିଲା। ରଙ୍ଗୀନ ପ୍ରଜାପତିର ପଛରେ ପଡ଼ିଲା ପରି ତା ପଛରେ ପଡ଼ିଯାଇଥିଲି। ତୁ ତ ଜାଣିଛୁ ସୁରୁଜା ଆମ ବଂଶ ବୁନିଆଦି ଘରକଥା ସବୁ।ମୋ ବାପା ସେ ପଞ୍ଚାୟତରେ ନାମୀ ଦାମୀ ଲୋକ ଭାବେ ଜଣା ଶୁଣା ଥିଲେ। ଅନ୍ୟ ମାନଙ୍କର କିଛି କଳି ଝଗଡ଼ା ହୁଏ କି ଭଲ ମନ୍ଦ ହୁଏ ସବୁ ଯାଇ ସମାଧାନ କରିଥାନ୍ତି। ବାପା ବି ମୋର ବହୁତ ରାଗି। ହେଲେ କଣ କହିବି ବାପାଙ୍କୁ, କିଛି ବୁଝି ପାରୁ ନ ଥାଏ। ସୁରୁଜା ସତେ କି ତାର ପ୍ରେମରେ ପାଗଳ ହୋଇଯାଇଥିଲି। ମୁଁ ଜାଣିଛି କୌଣସି ପରିସ୍ଥିତିରେ ରେ ମଧ୍ୟ ବାପା ଙ୍କୁ ମୋର ସେ ସମ୍ପର୍କ ବିଷୟରେ କହିପାରିବିନି। ମା ବି ବହୁତ ସରଳ ଥିଲା। ଏମତି ଭୟ ଭିତରେ ଦିନେ କିଛି ଆଗପଛ ଚିନ୍ତା ନ କରି ବିକାଶ କୁ ସାରା ଜୀବନ ଜୀବନସାଥି ଭାବି ଘରୁ ଲୁଚି ତା ସହିତ ସୁଦୂର କଲିକତା ସହରକୁ ଚାଲି ଆସିଲି। ବିକାଶର ପ୍ରତିଶ୍ରୁତିରେ ଅନ୍ଧ ହୋଇ ଯାଇଥିଲି।ଯେପରି ତାର ନିରୀହ ଚାହାଣି ରେ ବନ୍ଦୀ ହୋଇ ପଡ଼ିଥିଲି। ଏମିତି ଦିନେ ବୁଲେଇବାକୁ ମୋତେ ନେବା ସମୟରେ ଏକ ପାହାଡ଼ିଆ ରାସ୍ତା ରେ ଗୋଡ଼ ଖସିଯିବ କହି ହାତଧରି ଚାଲୁଥିବା ବେଳେ ଉଦ୍ଦେଶ୍ୟ ମୂଳକ ଭାବେ ନିଜ ଆଡ଼କୁ ଟାଣି ନେଇ ଥିଲା। ମୁଁ କିଛି କହିବା ପୂର୍ବରୁ ମୋର ସର୍ବସ୍ବ ଲୁଟି ନେଇଥିଲା। ସେ ଦିନ ତାକୁ କାଣିଚାଏ ବି ଅବିଶ୍ୱାସ କରି ନଥିଲି, ଭାବିଥିଲି ସାରା ଜୀବନ ମୋତେ ଭଲରେ ରଖିବ। କିଛିଦିନ ପରେ କହିଲା, ମୋନି ତମେ କଲେଜ ରେ ଯେପରି ନାଚୁଥିଲ ଏଠାରେ ମୁଁ ତୁମକୁ ପୁଣି ସେହି ସୁଯୋଗ ଦେବି। ମୋର ତ ରଙ୍ଗ ମଞ୍ଚ ନାଚ ଘୁଙ୍ଗୁର ପ୍ରତି ବହୁତ ଦୁର୍ବଳତା। ବହୁତ ଖୁସି ହୋଇଗଲି। ହଁ ମୁଁ କରିବି କହିଲି। ମୁଁ ଭାବିଲି ମୋର ପ୍ରତିଭା କୁ ଠିକ ବୁଝି ପାରିଛି ବୋଧେ ବିକାଶ। ହେଲେ ସୁରୁଜା ସେ ଗୋଟେ ପିଶାଚ ଥିଲା।ତାହା ମୋର ଦୁର୍ଭାଗ୍ୟ ମୁଁ ଜାଣି ପାରିନଥିଲି। ତାର ପ୍ରଥମ ନଜର ରେ ଶିକାର ହୋଇଥିଲି। ଆଉ ସେ ପିଶାଚ ମୋତେ ବଜାରରେ ନିଲାମ କରେଇ ଦେଲା। ସୁରୁଜା ଦିନେ ରାତି ଦଶଟା-ଏଗାରଟା ପାଖାପାଖି କଲିକତା ସହର ଶୁନସାନ ଲାଗୁଥାଏ। ରାଜ ରାସ୍ତାରେ କାଁ ଭାଁ ଗୋଟେ ଦିଟା ଗାଡ଼ି ଯିବା ଆସିବା କରୁଥାଆନ୍ତି। ବାହାରେ ମହାନଗରୀର ରାତ୍ରି ସତେ ଯେପରି ଆମକୁ ଉପହାସ କରି ଉଠୁଥିଲା।ଆଉ ତା କଥାକୁ ସେ ଦିନ ଏଡ଼ାଇ ପାରିଲିନି। ସେହି ଅନ୍ଧାର ରାତିରେ ମୋତେ ନେଇ ଗୋଟେ ହୋଟେଲ ର ନିବୁଜ କୋଠରୀରେ ପଂହଚାଇଲା।ମୁଁ ଖାଲି ମନେ ମନେ ଭଗବାନ ଙ୍କୁ ଡାକୁଥାଏ ଏ କଣ ସବୁ। ଶ୍ୱାସ ରୁଦ୍ଧ କଣ୍ଠରେ କାନ୍ଦି କାନ୍ଦି ପଚାରିଲି ବିକାଶ, ଏ ବାବୁ ମାନେ କିଏ? ସୁସଜିତ ରୁମ ଟି, ଟେବୁଲ ରେ ମଦ ମାଂସ ସହ ଆଉ ଚାରି ଜଣ ଅଜଣା ଲୋକ। କଣ ଏ ସବୁ? ଏ ପଟେ ଭୟରେ ମୁଁ ଥରୁଥାଏ। ଆରେ ଏମାନେ ସମସ୍ତେ ମୋର ନିଜ ଲୋକ। ସେମାନଙ୍କ ଖରାପ ଦୁଷ୍ଟି ଭଙ୍ଗି ର ଚାହାଣୀ। ମୁଁ ଲକ୍ଷ କରୁଥାଏ ସେ ରାକ୍ଷସ ମାନଙ୍କୁ। ସେ ମଣିଷ ମାଂସ ଖିଆ ପଶୁ ମାନଙ୍କ ପାଖରେ ଛାଡ଼ି ଦେଇ ଚାଲିଗଲା। ପଛରୁ ଯେତେ ଡାକିଲେ ବି ଆଉ ଶୁଣି ନଥିଲା। ତାପରେ ସେ କଞ୍ଚା ମାଂସ ଖିଆ ମାନଙ୍କ ଅମାନୁଷିକ କାର୍ଯ୍ୟ କଳାପ ରେ ମୁଁ ଯେତେ କାକୁତି ମିନତୀ ହେଲେ ବି ଉଦ୍ଧାର ପାଇ ପାରି ନଥିଲି। ଖିନ୍ ଭିନ୍ ଶରୀରକୁ ହୋଟେଲ ବାହାରୁ ସକାଳୁ ଅଚେତ ଅବସ୍ଥାରେ ହୋଟେଲ ବୟ ଉଧାର କରିଥିଲା। ଚେତା ଆସିବା ପରେ ଭାବିଲି ଏଇଠି ଆତ୍ମହତ୍ୟା କରିଦେବି। କେହି ବି ସହୃଦୟତାର ହାତ ବଢ଼ାଇ ନଥିଲେ ସେ ଦିନ ମୋତେ। ପୁଣି ମୋ ବିବେକ ମୋତେ ବାଧା ଦେଲା। ନିଜର ଭୟ ହଟାଇ ମୁଁ ମୋ ନିଜ ସହରକୁ ଫେରି ଆସିଲି। ଆଉ ଯୋଉ କଳଙ୍କର ଟୀକା ମୋ ମୁଣ୍ଡରେ ଲାଗିଥିଲା, ତାକୁ ମୁକୁଟ ମନେକରି ବଞ୍ଚିବାର ରାହା ଖୋଜିଲି। ସେଥି ପାଇଁ ମୁ ଆସି ଏଠି ଏକ ଦେହ ଯିବି ଆଉ ବାବୁ ଲୋକଙ୍କ ଭାଷାରେ ବେଶ୍ୟା ହୋଇଗଲି।

ନିଜକୁ ରକ୍ଷା କରିପାରିଲିନି। ସେ ଭବିଷ୍ୟତର ସ୍ବପ୍ନ ସବୁ ଛିଡ଼ିଗଲା ଯେପରି ସୁନା ଝରା ପରି। ଝରି ଗଲା ସବୁ କଢି ଫୁଲ ଫୁଟିବା ଆଗରୁ। ପ୍ରଜାପତିର ସତେ ଯେପରି ଡେଣା ରହିଲାନି। ଫୁଲରେ ଆଉ ବାସ୍ନା ନଥିଲା। ସୁରୁଜା ସବୁବେଳେ ଭାବୁଛି କଣ ମିଳିଲା ମୋତେ ଏ ସମାଜରୁ? ଅଜଣା ରାସ୍ତାର ପଥିକ ହୋଇଗଲି।କେଉଁଆଡ଼େ ଯିବି କଣ ବା କରିବି ଏମତି ଭାବି ଭାବି ନିଜର ଉଷ୍ମ ବଳୟକୁ ଖୋଜିବାକୁ ଆସି ଏହି ଅଜଣା ଜଗତରେ ପାଦ ଥାପିଲି।ପ୍ରକୃତରେ ସଂସାର ର ନିୟମ ଓ କିଛି ଲୋକଙ୍କ ପ୍ରକୃତି ବୁଝି ପାରି ନଥିଲି।ଚର୍ତୁଦିଗ ଅନ୍ଧକାର ମୟ ଲାଗିଲା। ଏପରି ଆଘାତରେ ମନଟା କ୍ଷତାକ୍ତ ହୋଇଗଲା। ବିକାଶ ଚରିତ୍ର ବିଷୟରେ ଅବଗତ ନଥିଲି ସୁରୁଜା। ସିଏ ଝିଅ ମାନକୁ ନେଇ ଏମତି ରାଜ ରାସ୍ତାକୁ ଫିଙ୍ଗିଦିଏ ବୋଲି। ମୋ ସରଳ ହୃଦୟ ତାକୁ ବୁଝି ପାରି ନଥିଲା। ଏମତି କଳଙ୍କ ଯାହା ଉତାରି ପାରିଲିନି। ଲଦି ହୋଇ ରହିଗଲା ସାରା ଜୀବନ। ଲିଭିଲାନି ପାପର, ଭୟର, ଗ୍ଲାନିର, ଛଳନାର, କଷ୍ଟର ଦରଜ ଏ ଯାଏ। ତୁ ତ ଜାଣିଛୁ ବାପା ମୋର ମୋରି ଚିନ୍ତାରେ ସେ ପୁରକୁ ଚାଲିଗଲେ। ମାଁ ମୋର ପାଗେଳି ହୋଇ ଗଲା। ଆଉ କୋଉ ମୁଁହ ନେଇ ଗାଁ କୁ ଫେରି ଥାନ୍ତି? ସେବେ ଠୁ କୋଠିର ମୋନି ରାଣୀ ହୋଇଗଲି। ଦୀର୍ଘ ନିଶ୍ଵାସ ମାରିଲା ସୁରୁଜା। ମୋନି କଥାର ସତ୍ୟାସତ ଯାହା ଖୋଜି ବୁଲୁଥିଲି, ସବୁ ଦରଦ ଭରା କାହାଣୀ ଶୁଣି ସାରିବା ପରେ ଆଉ କୋହ ସମ୍ଭାଳି ପାରି ନଥିଲି। ଆମ କଥା ସରିବନି ଲୋ ମୋନି। ଆସୁଛି ପୁଣି କେବେ ନିଶ୍ଚିତ ଦେଖାହେବ। ମୋତେ ଦେଖା କରି ସୁରୁଜା ତୁ ତୋ ମାନବିକତାର ପରିଚୟ ଦେଇଛୁ।ଆଜି କୁ ଅଠର ବର୍ଷ ହେଲା ମୋ ମନ କଥା କାହାକୁ କହି ପାରୁ ନଥିଲି।ଆତ୍ମୀୟତା ଓ ଭଲ ପାଇବାର ଏହା ଏକ ନିଦର୍ଶନ। ଏତିକି ଶୁଣି ସୁରୁଜା ଦୁଇ ଆଖିରୁ ଲୁହ ପୋଛି ପୋଛି ପାହାଚରୁ ଓଲ୍ହାଇ ଗାଡ଼ି ପାଖକୁ ଆସିବା ବେଳେ ଭାବୁଥାଏ, ଶେଷରେ ମୋନି ଭାଗ୍ୟରେ ଏମତି ହେବାର ଥିଲା? ରୋମ ମୂଳ ଟାଙ୍କୁରି ଉଠୁଥାଏ।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.