ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୭ ଅଗଷ୍ଟ ୨୦୨୨
ଅନେକ ଦିନୁ ସରିଯାଇଛି
ଲଢେଇ
ମୁଁ ଫେରିଆସିଛି ଘରକୁ
ମୋର ଶିକୁଳି ଖୋଲ
ଅନେକ ବର୍ଷ ବନ୍ଦୀ ଥିଲି ସେଇ
ଅଦୃଶ୍ୟ ବନ୍ଦୀଶାଳାରେ
ନଥିଲା କିଛି ଝରକା କବାଟ
ଅମୁହାଁ ଗଳିର ସେଇ ବନ୍ଦୀଶାଳାରୁ
ମୁଁ ଏବେ ଫେରିଆସିଛି ,ଦେଖ
ମୋର ସବୁ ଯୁଦ୍ଧାସ୍ତ୍ର
ହଜିଯାଇଛି ଯୁଗଯୁଗର ଲଢେଇରେ
ହତାହତ ସବୁ ସୈନ୍ୟ ସାମନ୍ତ
ଲଢେଇ ସରିଯିବାର ହେଲାଣି ଅନେକ ବର୍ଷ
ଓ ଘୋଡ଼ା ହାତୀମାନେ
ଅପହୃତ
ମୋ ଘରର ଚାରିକାନ୍ଥରେ
ମୁଁ ବିମୁକ୍ତ ଆକାଶ
ଏବେ ମୋ ଶିକୁଳି
ଶେଷଥର ପାଇଁ ଖୋଲ !