ଆଲୋକ କୁମାର ପ୍ରଧାନ, ପୁରୀ, ୮ ମଇ ୨୦୨୩
ଭାଡ଼ିଏ ସୁଖରେ ଧାଡ଼ିଏ ଶୂନ୍ୟତା ପାଲଟଇ ଯେବେ ଜୀବନ ରେଖା।
ତମାମ ଜୀବନ ଭାଗଫଳ ଭୋଗେ ଭାଗଶେଷର କି ମିଳଇ ଦେଖା।
ଅଛିଣ୍ଡା ଅଙ୍କରେ ଅଙ୍କା ଶେଷ ସୀମା ହସି ପାରେ ମୁଳଦୁଆ ଉପରେ?
ସମୟ କି ବୁଝେ ସମ୍ପର୍କର ମୂଲ ଭାରି ପାଣିଚିଆ ବୁଝାମଣାରେ।
ଏଇ ଅଛି ଏଇ ନାହିଁ ଅଣକରେ ଅଣାକାର ଗୋଟେ ଅଳୀକ ମନ।
ଯେଉଁ ମନ ମୁନ ମଉନ ଘାଟରେ ହୁଲିଡଙ୍ଗାଟିଏ ହଜିଲା ଦିନ।
ହଜିଲା ଦିନ କି ଖୋଜିଲେ ମିଳଇ ଖୋଜାଅଖୋଜାର ବୁଡ଼ିଲା ବନ୍ଧେ।
ଦେଖା ଅଦେଖାର ଦୁରତା ମାପରେ ଅଣଦେଖା ଭାବ ବହୁତ ବାଧେ।
ବାଧେ ସିନା ସଦା ବାଧକା କରାଏ ସରେନି ସମୟ ସରେନି ଦାଉ।
ଅସରାଏ ଦୁଃଖ ଛୁଇଁ ଦେଇଗଲେ ଘିଅ ମହୁ ଭଲ ଲାଗେ କି ଆଉ!
ସତ ଭିଡ଼େ ମିଛ ଭଲ ଭିଡ଼େ ମନ୍ଦ ପୁରିଲା ଭିଡ଼ରେ ଟିକିଏ ଉଣା।
ସହି ହୁଏନି କି ଦେଖେଇ ହୁଏନି ମନ ତଳ ଘାଆ ସେ ପ୍ରତାରଣା।
ପ୍ରତାରିତ ପ୍ରାଣ ଅପନ୍ତରା ବାଟେ ପହି ଭଙ୍ଗା ଗୋଟେ ଶଗଡ଼ ଚକ।
ପ୍ରତାରଣା ସହ ଜିଇଁବା ଶିଖିଲେ କିଛି ତ ମିଳେନି ମିଳଇ ଦକ।