ଆଲୋକ କୁମାର ପ୍ରଧାନ, ପୁରୀ, ୧୨ ଫେବୃଆରୀ ୨୦୨୪
ଏମିତି ସୁଅଟେ ସିଏ ମାନେ ନାହିଁ କେଉଁ ବନ୍ଧବାଡ।
ମନର ସହରେ ଯେବେ ମୁଁହ କାଢେ ସମୟର ଝଡ।।
ଏମିତି ରଙ୍ଗଟେ ସିଏ ଡେଉଁଥାଏ ଆଖିରୁ ଆଖିକୁ।
ସେ ରଙ୍ଗ ଲାଗିଲେ ଥରେ ମନା କରେ ଆଉ ଲିଭିବାକୁ।।
ଏମିତି ଆକାଶଟିଏ ଉଡୁଥିଲେ ଉଡୁଥିବ ଖାଲି।
ଆକାଶରେ ମନଥିବ ପାଦସାରା ଲାଗିଥିବ ବାଲି।।
ଏମିତିକା ଋତୁଗୋଟେ ସବୁବେଳେ ବସନ୍ତ ବସନ୍ତ।
ଫୁଟୁଫୁଟୁ ବାସୁଥିବ ମହକାଇ ଦିଗ ଓ ଦିଗନ୍ତ।।
ଏମିତିକା ଦାଣ୍ଡଟିଏ କୋଶ ଲାଗେ ପାହୁଣ୍ଡ ପରିକା
ଏକାଥିଲେ ପାଖେଥାଏ ପାଖେଥାଇ ଲାଗେ ଏକାଏକା।।
ଏମିତିକା ହସଟିଏ ଲୁହତଳୁ ଜକଜକ ଦିଶେ।
ଭୋଗିଲେ ତୁଟଇ ଯେତେ ବିରହରେ ନତୁଟି ସେ ବାସେ।।
ପ୍ରେମକୁ ପହଣ୍ଡି କରି ଆଣ ଅବା ନ ଆଣ ପ୍ରେମରେ।
ଅଢେଇ ଅକ୍ଷର ନିଶ୍ଚେ ଛୁଇଁଦେବ ତା’ ନିଜ ଢଙ୍ଗରେ ।।