ଆଲୋକ କୁମାର ପ୍ରଧାନ, ପୁରୀ, ୨୯ ଅପ୍ରେଲ ୨୦୨୪
ସରିବା ଡରିବା ବିନା ତା’ର ଗୋଟେ ଆରମ୍ଭ ହିଁ ଥାଏ ।
ଠିକଣା ତା ଠିକ୍ ଥାଏ ସଭିଙ୍କର ଠିକଣା ହଜାଏ ।।
କେତେ ରଙ୍ଗେ କେତେ ଢଙ୍ଗେ ଢ଼ିଙ୍କିପରି କୁଟୁଥାଏ ଆୟୁ।
ଅଟେଇ ଅଟକ ସରି ଆକଟରେ ଥାଏ କିବା ଭାଉ ?
ବେଡ଼ି ଥାଏ ବାଡ଼ ଥାଏ ତା ଭିତରେ ସରାଗ ବି ଥାଏ।
ଆଖି ଥାଏ ଲୁହ ଥାଏ ପିଇବାକୁ ଓଠଟେ ବି ଥାଏ ।।
ସଞ୍ଜ ଥାଏ ସ୍ବପ୍ନ ଥାଏ ରାତି ପାଇଁ ଅପେକ୍ଷାଟେ ଥାଏ।
ସକାଳ ସୂରୁଜ ସହ ଗୋଧୁଳିକୁ ବେଣୀ କରୁଥାଏ।।
ରୁଗରୁଗ ହେଉଥାଏ ଖୁବ୍ ଗୋଟେ ଆନମନା ହୋଇ ।
ଡେଉଁଥାଏ ଧାଉଁଥାଏ ତାକୁ କେଉଁ ସୀମା ଅଣ୍ଟେ ନାହିଁ।।
ମୁକ୍ତି ପାଇଁ ଚୁକ୍ତି କରି ଚିରୁଥାଏ ଚଉତିଚାଉତି ।
ଟୁକୁଡାଏ ବାକିଥିଲେ ଲାଗୁଥାଏ ଥିଲା ସେ ସେମିତି।।
ପ୍ରେମ ଗୋଟେ ଗଉଁପରି ଗମାତିଆ ଗୋଲାପି ସହର ।
ଯେଉଁଠି ପାଇବାଠାରୁ ହରେଇବା ମିଠା ଠୁଁ ମଧୁର।।