ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୫ ନଭେମ୍ବର ୨୦୨୪
ପ୍ରେମ ଏକ ଆତ୍ମହରା ରୂପବତୀ ନଈ
ନୀଳ, ସବୁଜ ରଂଗରେ ତନୁକୁ ସଜେଇ
ଖିଆଲି ମନରେ ନିଜ ଗତି ବଦଳାଇ
ଖୋଜୁଥାଏ ସାଥୀ ତା’ର ଅଭିସାର ପାଇଁ ।। ୧ ।।
ପ୍ରେମ ଏକ ସ୍ବପ୍ନଭିଜା ଧୂମାୟିତ ନଈ
ଅସୁମାରୀ ଇଛାକୁ ମନ ଗହୀରରେ ଥୋଇ
ଖରା, ଛାଇ ଶାଢ଼ୀକୁ ସେ ଦେହରେ ଘୋଡ଼େଇ
ବହି ଚାଲିଥାଏ ସିଏ ନିର୍ବିକାର ହୋଇ ।। ୨ ।।
ପ୍ରେମ ଏକ ମଦମତ୍ତ ଜୁଆରିଆ ନଈ
ବୟସର ବନ୍ଧ ବାଡ଼ ସିଏ ମାନେ ନାହିଁ
କେବେ ସଂଯତ ଆଉ କେବେ ଉଦ୍ଧତ ହୋଇ
ଉଗ୍ରରୂପେ ମହାଦ୍ରୁମ ନିଏ ସେ ଭସାଇ ।। ୩ ।।
ପ୍ରେମ ଏକ ଜ୍ୟୋସ୍ନାବୋଳା ଅସ୍ତବ୍ୟସ୍ତ ନଈ
ଗଭୀରତା କେହି ତା’ର ମାପି ପାରି ନାହିଁ
ବାଲିଚରେ ଶାମୁକାର ଗାଲିଚା ବିଛେଇ
ବିରହେ ନିଜର ସତ୍ତା ଦିଏ ସେ ହଜେଇ ।। ୪ ।।