ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୪ ସେପ୍ଟେମ୍ବର ୨୦୨୪
ପ୍ରେମ ଏକ ଅମାନିଆ ଅଙ୍କାବଙ୍କା ନଈ
ଅବାରିତ ବୋହୁଥାଏ ଆନମନା ହୋଇ
ସୁନ୍ଦରୀ କୁଆଁରୀ ପରି ହୋଇ ସେ ଫୁଲେଇ
ଷୋଡ଼ଶୀ ଅନୁଢ଼ା ଭଳି ଦେହକୁ ସଜାଇ
ଶିହରିତ ଦେହରେ ତା’ ଭଉଁରୀ ଖେଳାଇ
ମତୁଆଲା ହୋଇ ସିଏ ଯାଏ ଡେଇଁ ଡେଇଁ ।। ୧ ।।
ପ୍ରେମ ଏକ ଅଲିଅଳ ଅଭିମାନୀ ନଈ
ଅବିଶ୍ରାନ୍ତ ବୋହୁଥାଏ କୁଳୁକୁଳୁ ହୋଇ
ପାହାଡ଼ର ଆରପାରେ ନିଜକୁ ଲୁଚାଇ
ଘଞ୍ଚ ବନାନୀ କୋଳେ ଦେହକୁ ହଜାଇ
ଛନଛନ ମନରେ ତା’ ତନୁକୁ ଭିଜାଇ
ହୃଦୟେ ପ୍ରଣୟ ଭରା ଆବେଗ ଜଗାଇ ।। ୨ ।।
ପ୍ରେମ ଏକ ଅଝଟିଆ ଅଳସେଇ ନଈ
ବୋହୁଥାଏ ଅବିରତ ଥକି ପଡ଼େ ନାହିଁ
କେଉଁଠି ନିଶ୍ଚଳ ପୁଣି ଭୟଙ୍କର ହୋଇ
ଫୁଲମାଳ, ଆବର୍ଜନା ସବୁ ନିଏ ଧୋଇ
ମିଳନ ପିପାସୀ ସେ ଆତୁରେ ଧାଇଁ ଧାଇଁ
ଖୋଜୁ ଥାଏ ସାଥୀ ତା’ର ଲୀନ ହେବା ପାଇଁ ।। ୩ ।।