ଆଲୋକ କୁମାର ପ୍ରଧାନ, ପୁରୀ, ୨୦ ମାର୍ଚ ୨୦୨୩
ବିନା ସପନରେ କା ‘ ରାତି ସରଇ କା ନିଦ ଅଧାରେ ସରେ।
କା ପାଇଁ ନିଦର ପେଡିଟିଏ ଧରି ରାତି ଅଦଉତି କରେ।
କା ଦେହ ଛୁଇଁଲେ ସପନ ହସଇ କା ଦେହ ତାତିରେ ଚିଏଁ
କେଉଁ ସରାଗର ଭଙ୍ଗା ଖୁଆଡ ରେ ରାତି ଭିଡ଼ି ମୋଡ଼ି ହୁଏ।
ଓଡକରେ କା’ର ଦିନ ସରିଯାଏ କା ପାଇଁ ଦୋଅଡ ଥୁଆ।
କା’ ଚେଇଁଲା ସୁଖ ଧିରକରି ଶୁଏ ଦୁଃଖ କୁ ଦେଖେଇ ହିଆ।
କା ମନ ବେଳାରେ ମୁଣ୍ଡ ପିଟୁଥାଏ ପ୍ରେମ ଶତରୂପା ହୋଇ
କା ପାଇଁ ପ୍ରେମ ର ଦୁଆରେ ପାଚେରୀ କାହାପାଇଁ ନୀଳ କଇଁ।
କାହା ପାଇଁ ପ୍ରେମ ଦଦରା କାନ୍ଥରେ ଚହଲା ଡିବିରି ନିଆଁ
କାହା ପାଇଁ ପ୍ରେମ ଜାଡ ଯଉ ଘରେ ପଣତଟେ ସାତ ସିଆଁ
କାହା ପାଇଁ ପ୍ରେମ ଦୋ ଫସଲୀ ମାଟି ଦୋରସା ଦୋସର ଭାବ
କାହା ପାଇଁ ପ୍ରେମ ଭଙ୍ଗା ସିଲଟ ରେ ଅଧା ଲେଖା ଲିଭା ଦାଗ।
ତଥାପି ପ୍ରେମ ର ଅଢେଇ ଅକ୍ଷରେ ବାନ୍ଧିଛି ନିଜକୁ ଯିଏ।
ତାକୁ କହିବନି ଜିଣିବା ବାଜିରେ ହାରିବାକୁ ସେ କିଏ?