• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପୁରସ୍କାର

ପୁରସ୍କାର
Share on FacebookShare on Xshare on Whatsappshare on Linkedin
ଶାନ୍ତନୁ ମହାପାତ୍ର, କେନ୍ଦୁଝର, ୧୯ ଜୁଲାଇ ୨୦୨୪

ଥରେ ନୁହେଁ ଦୁଇ ଥର ନୁହେଁ ଅନେକ ଥର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ନନ୍ଦ ବାବୁ । ଫାଇନାଲ ପେନସନ୍ ର କାଗଜପତ୍ର ଦି’ଖଣ୍ଡ ଠିକ୍ କରି ଡାଇରେକ୍ଟର ଅଫିସ୍ କୁ ପଠାଇବା ପାଇଁ କେତେ ଅନୁନୟ ବିନୟ କଲେଣି । ପୁରୁଣା ବିଡିଓଙ୍କ ବଦଳି ପରେ ବର୍ତ୍ତମାନ ଦାୟିତ୍ବରେ ଥିବା ଏବିଡିଓ ମହାଶୟଙ୍କୁ କେତେ ଥର ଜୁହାର ନେହୁରା ହେଲେଣି । ମାତ୍ର ଫଳ ଶୂନ । ଅଫିସର୍ ଓ କିରାଣୀ ମାନଙ୍କର ଅବହେଳା ଯୋଗୁଁ ଫାଇଲ ଆଗେଇ ପାରୁନି ।

ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ? ଫାଇଲ କାମ କରିବାରେ କାହାରି ସାମାନ୍ୟତମ ଆଗ୍ରହ ଥିଲେ ସିନା ।

ନନ୍ଦ ବାବୁ ଏଇ ବ୍ଲକ ଅଫିସ୍ ରୁ ହେଡ୍ କିରାଣୀ ହୋଇ ଅବସର ନେଇଛନ୍ତି । ସଚ୍ଚୋଟପଣିଆ ଦେଖାଇ ତାଙ୍କ ଅମଳରେ ଅଫିସ୍ ରେ ଲାଞ୍ଚ କାରବାରଟାକୁ ଏକ ପ୍ରକାର ବନ୍ଦ କରି ଦେଇଥିଲେ । ସବୁ କିରାଣୀ ପଲ ବିନା ଉପୁରୀରେ ଓଡ଼ଶ ପରିକା ସୁଖି ସୁଖି ପଡ଼ିଥିଲେ । ସେ ରାଗ ସବୁ ଏଇଲେ ଶୁଝୁଛନ୍ତି। ଶଳା ବୁଢ଼ାଟା କହୁଥିଲା – ଲାଞ୍ଚ ଖାଇବନି କି ଦେବନି । ଆଦର୍ଶବାଦୀ ଦେଖେଇ ହେଉଥିଲା । ଏବେ ହାତଗୁଞ୍ଜା ନ ଦେଲେ କେମିତି କାମ ହେବ ଦେଖିବା । ସମସ୍ତଙ୍କ ପକେଟ ଗରମ ନହେବା ପର୍ଯ୍ୟନ୍ତ ତା ଚପଲ ଘୋରିଯିବ ପଛକେ କିଛି କାମ କରିବାନି । ଏ କଥାଟା ଜଣଙ୍କର ବା ଦୁଇ ଜଣଙ୍କର ନୁହେଁ, ଅଫିସ୍ ର ସବୁ ସିନିୟର କିରାଣୀଯାକ ସତେ ଯେମିତି ପ୍ରତିଜ୍ଞା କରିଥିଲେ ।

ବିଚରା ଅବସରପ୍ରାପ୍ତ ବଡ଼ ବାବୁଙ୍କୁ ବଡ଼ ବାଧିଲାଣି । କେତେ ଧାଇଁବେ ଅଫିସ୍ କୁ । ମାତ୍ର ଛଅ ମାସ ତଳେ ତାଙ୍କୁ ଆଜ୍ଞା.. ଆଜ୍ଞା.. କରୁଥିବା କିରାଣୀମାନେ ଏବେ ମୁଣ୍ଡିଆଟିଏ ମାରୁ ନାହାନ୍ତି କି ହସି ପଦେ କଥା କହୁ ନାହାନ୍ତି । ଅତ୍ୟନ୍ତ ଲଜ୍ଜାକର କଥା । ଆଦର୍ଶବାଦୀ ହେବାର ପରିଣାମ କ’ଣ ଏଇଆ?

ଦୁଇ ବର୍ଷ ତଳେ ସେଇ ବ୍ଲକ ଅଫିସ୍ ରେ ନୂଆକରି କନିଷ୍ଠ କିରାଣୀ ଭାବରେ ଯୋଗ ଦେଇଥିବା ଅନିଷ୍ ବାବୁ କିନ୍ତୁ ବଡ଼ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ । ସେଥିପାଇଁ ବଡ଼ ବାବୁ ତାଙ୍କୁ ବହୁତ ସ୍ନେହ କରନ୍ତି ଆଉ ସେ ବି ବଡ଼ ବାବୁଙ୍କୁ ପିତୃତୁଲ୍ୟ ସମ୍ମାନ କରନ୍ତି । ତାଙ୍କର ସଚ୍ଚୋଟପଣିଆ ପାଇଁ ବଡ଼ ବାବୁ ତାଙ୍କୁ ନିଜ ପାଖ ଟେବୁଲରେ ବସାଇଥିଲେ ଏବଂ ସବୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ତାଙ୍କ ହାତକୁ ଟେକି ଦେଉଥିଲେ । ସଧାରଣ ଲୋକଙ୍କର କାମ ସୁରୁଖୁରୁରେ ହୋଇ ଯାଉ ଥିଲା । ସମସ୍ତେ ଉଭୟଙ୍କର ଢେର ପ୍ରଶଂସା କରୁଥିଲେ ।

ବାକିତକ କିନ୍ତୁ ରକ୍ତ ଚାଉଳ ଚୋବାଉ ଥିଲେ । ଏବେ ତା’ର ପ୍ରତିଶୋଧ ନେଉଛନ୍ତି । ବଡ଼ ବାବୁଙ୍କ ଅବସର ପରେ ଅନିଷ ବାବୁଙ୍କୁ ଖାଲି ପିଅନ ପରି ଖଟାଉଛନ୍ତି । ବିଚରା କ’ଣ ବା କରି ପାରନ୍ତେ? ନୂଆ ଚାକିରି ପୁଣି ସରଳ ସ୍ୱଭାବ । ଠାକୁରଙ୍କୁ ଡାକି ଡାକି ପଡ଼ି ରହିବା କଥା ।

ବଡ଼ ବାବୁ ତାଙ୍କ ଜୀବନରେ କିଛି ବି କରି ନାହାନ୍ତି । ରିଟାୟାରମେଣ୍ଟ ପରେ ସହର ତଳେ ଖଣ୍ଡିଏ ଛୋଟିଆ ଘର କରିଛନ୍ତି, ସେଇଟା ପୁଣି ପୁଅ ମାନଙ୍କ ସହଯୋଗରେ । ହଁ…, ସେ ଗୋଟିଏ ବଡ଼ କାମ କରିଛନ୍ତି। ପୁଅ ଦୁଇଜଣଙ୍କୁ ଯୋଗ୍ୟ କରିଛନ୍ତି ।

ବଡ଼ ପୁଅ ବାଙ୍ଗାଲୋରରେ ସପ୍ଟଓୟାର ଇଂଜିନିୟର ଓ ସାନ ପୁଅ ଏଇ ଦୁଇ ବର୍ଷ ତଳେ ଓ.ଏ.ଏସ୍. ପାଇଛି । ଜୀବନରେ ଏତକ ହିଁ ତାଙ୍କର ସବୁଠୁ ବଡ଼ ସଫଳତା । ସେମିତି ଗୁଡ଼ାଏ ପଇସା ଖର୍ଚ୍ଚ କରି ପୁଅମାନଙ୍କୁ ବଡ଼ କଲେଜରେ ପଢ଼ାଇ ନାହାନ୍ତି । ଖାଲି ଈଶ୍ୱରଙ୍କ ଆଶିର୍ବାଦରୁ ଢେର ମାଡ଼ି ଯାଇଛନ୍ତି ସେମାନେ । ପୁଅ ଦୁହିଁଙ୍କୁ ନେଇ ବଡ଼ ବାବୁଙ୍କ ମନରେ ବହୁତ ଗର୍ବ । ତାଙ୍କ ସଚ୍ଚୋଟପଣିଆର ଫଳ ଏଇଟା ବୋଲି ସେ ଭାବନ୍ତି । ପୁଅ ଦୁହେଁ ବି ତାଙ୍କ ନୀତି ଓ ଆଦର୍ଶକୁ କେବେ ତଳେ ପକାଇ ନାହାନ୍ତି ।

ନିଜ ଦୁଃଖକୁ ନିଜ ଅଣ୍ଟିରେ ପୁରାଇ ବଡ଼ ବାବୁ ଧାଇଁଛନ୍ତି ନିଜର ଫାଇନାଲ ପେନସନ୍ ଗଣ୍ଡାକ ପାଇଁ । ସେ ଏକପ୍ରକାର ଜୁନିୟର ମାନଙ୍କର ଦୟାର ପାତ୍ର ବନି ଯାଇଛନ୍ତି ।

ହଠାତ୍ ଦିନେ ଖବର ପହଞ୍ଚିଲା ତାଙ୍କ ସାନ ପୁଅ ବଦଳି ହୋଇ ଆସୁଛନ୍ତି ଏଇ ବ୍ଲକକୁ ବିଡିଓ ଭାବରେ । କେବେ ନାଆ ଉପରେ ଗାଡ଼ି ତ କେବେ ଗାଡ଼ି ଉପରେ ନାଆ । ଜଏନ୍ କରିବେ ଖୁବ୍ ଶୀଘ୍ର । ସୁଦୂର ବଲାଙ୍ଗୀରରୁ ପଳାଇ ଆସିବେ ନିଜ ସହରକୁ । ତାଙ୍କ ବଦଳି ଖବର ଶୁଣି ଅଫିସରେ ସମସ୍ତଙ୍କ ପିଳେହି ପାଣି । ଯେଉଁମାନେ ବଡ଼ ବାବୁଙ୍କୁ ହଇରାଣ କରୁଥିଲେ ସେମାନେ ବେଶି ଛାନିଆଁ ।

ଯୋଗ ଦେବା ଦିନର ଘଟଣା । ବାପା ମା’ଙ୍କ ଆଶିର୍ବାଦ ନେଇ କାର୍ଯ୍ୟରେ ଯୋଗ ଦେଲେ ସେ । ଅଫିସର ସବୁ କର୍ମଚାରୀ ଜଣକ ପରେ ଜଣେ ଫୁଲ ତୋଡ଼ା ଦେଇ ଶୁଭେଚ୍ଛା ଜଣାଉଥାନ୍ତି । ନିଜ ଚେୟାରରୁ ଉଠି ସମସ୍ତଙ୍କ ଅଭିବାଦନକୁ ସ୍ମିତ ହସି ଗ୍ରହଣ କରୁଥାନ୍ତି । ତା ସହିତ ପରିଚୟ ବି ପଚାରୁ ଥାଆନ୍ତି । ଖୋସାମଦିଆ କିଛି ତାଙ୍କ ବାପାଙ୍କର ଉଚ୍ଚ ପ୍ରଶଂସା କରୁ ଥାଆନ୍ତି ।

ବହୁରୂପୀ ଏଣ୍ଡୁଅଙ୍କର ସମାଜରେ ଅଭାବ ନାହିଁ । ଖୁବ୍ ଶୀଘ୍ର ରଂଗ ବଦଳାଇ ପାରନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦି ପାରନ୍ତି। ଆବଶ୍ୟକତା ଅନୁଯାୟୀ ଚରଣ ଚୁଟିଆ ସାଜି ପାରନ୍ତି ।

ନୂଆ କରି ଯୋଗ ଦେଇଥିବା ବି ଡି ଓ ମହାଶୟ ଏ ବିଷୟରେ ଯେ ଅଜ୍ଞ ତା’ ନୁହେଁ । କିନ୍ତୁ ନିଜର ମର୍ଯ୍ୟାଦା ରଖି ସମସ୍ତଙ୍କ ସହ ହସି ହସି କଥା ହେଉଥାନ୍ତି ଓ ଆବଶ୍ୟକ ସ୍ଥଳେ ଚୁପ୍ ରହୁଥାନ୍ତି ।

ଅଭିନନ୍ଦନ ପର୍ବର ସମାପ୍ତି ପରେ ବି ଅନିଷ୍ ବାବୁଙ୍କର ଦେଖା ନ ଥିଲା। ଚୁପ୍ ଚାପ୍ ବସିଥିଲେ ନିଜ ଚେୟାରରେ । ଅଭିନନ୍ଦନ ଜଣାଇବାକୁ ଫୁଲ ତୋଡ଼ାଟିଏ ବି ନ ଥିଲା ତାଙ୍କ ପାଖରେ । କାରଣ ନୂଆ ବି ଡି ଓ ଆଜି ଯୋଗ ଦେଉଛନ୍ତି ବୋଲି ତାଙ୍କ ପାଖରେ ସୂଚନା ନଥିଲା । ଜୁନିୟର ପିଲାଟାକୁ ଜଣାଇବା କି ଦରକାର ବୋଲି ବୋଧହୁଏ ଭାବୁଥିଲେ ସମସ୍ତେ ।

ଏତିକିବେଳେ ହଠାତ୍ ବି ଡି ଓ ଙ୍କ ଠାରୁ ଡାକରା ଆସିଲା ଅନିଷ୍ ବାବୁଙ୍କୁ। ଖାଲି ହାତରେ ଯିବାକୁ ସଂକୋଚ କରୁଥିଲେ ବି ଅତି ସନ୍ତର୍ପଣରେ ପ୍ରବେଶ କଲେ ବି ଡି ଓ ଙ୍କ ଚାମ୍ବରକୁ। କର ଯୋଡ଼ି ନମସ୍କାର କଲେ ।

ବିଡିଓ ମହାଶୟ ତାଙ୍କୁ କିଛି ସମୟ ନିରୀକ୍ଷଣ କଲେ। ଚେୟାରରୁ ଉଠି ଆସି ଟେବୁଲ ଉପରେ ଥୁଆ ହୋଇଥିବା ଫୁଲ ତୋଡ଼ାରୁ ଗୋଟିଏ ତାଙ୍କୁ ଧରାଇ ଦେଇ କହିଲେ — “ମୁଁ ତୁମକୁ ଅଭିନନ୍ଦନ ଜଣାଉଛି। ବାପା କହୁଥିଲେ ତୁମେ ତାଙ୍କର ଆଉ ଗୋଟେ ପୁଅ ବୋଲି। ତୁମେ ଆଜିଠୁ ମୋର ସାନ ଭାଇ ।”

ତଳକୁ ମୁହଁ ପୋତି ଠିଆ ହୋଇଥିଲେ ଅନିଷ୍। ଆଖିରୁ ତାଙ୍କର ଗଡ଼ି ପଡ଼ିଲା କେଇ ଟୋପା ଲୁହ। ସଚ୍ଚୋଟପଣିଆର ପୁରସ୍କାର ପୁଣି ଏମିତି ମିଳେ !

ଶାନ୍ତନୁ ମହାପାତ୍ର

ଶାନ୍ତନୁ ମହାପାତ୍ର

ଗାଳ୍ପିକ ଶାନ୍ତନୁ ମହାପାତ୍ର ଏକ ଵ୍ୟତିକ୍ରାନ୍ତ ସାରସ୍ବତ ଉଚ୍ଚାରଣ । ବୃତ୍ତିରେ ଜଣେ ଶିକ୍ଷକ କିନ୍ତୁ ପ୍ରବୃତ୍ତି ରେ ଓଡ଼ିଆ ଭାଷା ସାହିତ୍ୟର ଜଣେ ଉଦାତ୍ତ ଉଦଘୋଷକ । ତାଙ୍କ କାହାଣୀମାନଙ୍କରେ ଆମ ସମାଜରେ ବିଭିନ୍ନ ସମୟରେ ସଂଘଟିତ ହେଉଥିବା ବିଭିନ୍ନ ଚିନ୍ତାଜନକ ବିଷୟର ଅବତାରଣା ଦେଖିବାକୁ ମିଳେ । ତାଙ୍କର ଶ୍ରେଷ୍ଠ ସାରସ୍ବତ କୃତି ମଧ୍ୟରୁ କାହାଣୀ ଅଳ୍ପ ଅଳ୍ପ ଓ ଗଳ୍ପ ନିଳୟ ପାଠକୀୟ ଆଦୃତତା ଲାଭ କରିପାରିଛି । ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ଏପାଖ ସେପାଖ
Literature

ଏପାଖ ସେପାଖ

by ଆଲୋକ କୁମାର ପ୍ରଧାନ
March 16, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬ ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ ଥିଲାର ସନ୍ତିଲା ନଥିଲା ଭୋକକୁ...

Read more
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.