ଆଲୋକ କୁମାର ପ୍ରଧାନ, ପୁରୀ, ୨୫ ନଭେମ୍ବର ୨୦୨୪
ଡରୁଥାଏ ଭାଙ୍ଗିବାକୁ ଡରୁଥାଏ ଦୁର୍ବଳ ହେବାକୁ
ଅନ୍ତରୁ ବତୁରୁଥାଏ ଡରୁଥାଏ ଲୁହ ଢାଳିବାକୁ
ଲୁହ ଲୁହ ଆଖିନେଇ ତାକୁ କଥା କହିବା ହିଁ ମନା
ଅସ୍ପଷ୍ଟ ସେ ସଭିଙ୍କଠି ସିଏ କିନ୍ତୁ ସଭିଙ୍କ ଆଇନା
ବଳେଇ ବଳେଇ ପିଏ ସଭିଙ୍କର ବଳକା ଦୁର୍ଭାଗ୍ୟ
ମୋ ଦେଇ ହେବନି କହି ଦିଏନା ସେ କେବେ ଛତ୍ରଭଙ୍ଗ
ଆଗତୁରା ବୋହୁଥାଏ ବାହୁଥାଏ ସଂସାର ନଉକା
ସଭିଙ୍କ ପାଖରେ ଥାଇ ନିଜେ କିନ୍ତୁ ଥାଏ ଭାରି ଏକା
କେବେ ସେ ଲେଖେଇ ନିଏ ଲେଖିହୁଏ ଅଲେଖା ପରିକା
ନିଜପାଇଁ ଶୂନ୍ଯତାର ଖୁବ୍ ପାଖେ ଖାଲି ମରିଚୀକା
ପୁରୁଷଟେ ବୋଲି ସବୁ ସମ୍ଭାବନା ତା ଆଖିରେ ଥାଏ
ଏତିକି ସାହସ ନେଇ ସମୟ ତା ସାରି ଦେଉଥାଏ
ପୁରୁଷାକାରର ମୋହେ ଜୀବନଟା ବିତେ ପୁରୁଷର
ସେ ମୋହ ନିର୍ବାଣ ଦେହ ଦିଶେ ଗୋଟେ ପୁରୁଷ ମୋହର।।