ଆଲୋକ କୁମାର ପ୍ରଧାନ, ପୁରୀ, ୧୯ ଅଗଷ୍ଟ ୨୦୨୪
କିଛି ଲାଗେ ସ୍ବପ୍ନ ପରି କିଛି ଲାଗେ ତାଠାରୁ ବି ଗାଢା।
କିଛି ବାସେ ନିଜ ପରି କିଛି ଲାଗେ ତାଠାରୁ ଚଉଡା।।
କିଛି ଆସେ କାଲି ପରି ସାଙ୍ଗେ ନେଇ ସେ ଦିନ ମହକ।
ଯେ ଦିନ ଫେରିବା ନେଇ ସନ୍ଦିହାନ ମୁଁ ଜୀବନଯାକ।।
କେଉଁଠି କେମିତି କିଆଁ ଛାତି ତଳେ ଜାଗାଟିଏ ନେଇ।
ଲୁଚିଥାଏ ବର୍ଷଯାକ ମୁହଁ କାଢ଼ି ଦିଏ ବତୁରାଇ।।
ବର୍ଷକ ଲଙ୍ଗଳା ଥାଏ ଗୋଟେ ଦିନ ଖାଲି ରଖେ ନାହିଁ।
ଡେରି ହେଲେ ଝୁରି ହୁଏ କେତେକଥା ମନକୁ ଦହଇ।।
ସୂତାଟିକକରେ ବନ୍ଧା ତାଠାରୁ କେ ଟାଣ ଆଉ ନାହିଁ।
ଦୁନିଆଯାକର ବଳ ତା ପାଖରେ ଅଚିରେ ହାରଇ।।
ଚିରାପଣତ ସାଇତା ଦୁନିଆର ବହୁମୂଲ୍ୟ ଖଣି।
ସେ ପଣତ ଉହାଡ଼ରେ ପିଲାଦିନ ବହଇ ଉଜାଣି।।
ରାକ୍ଷୀତ ରେଶମୀ ଡୋର ମମତାର ମନ୍ତୁରା ସରାଗ।
ଭଉଣୀ ତୁଲେ ଭାଇର ଢାଲ ପରି ଥାଏ ସବା ଆଗ।।