ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ଅଗଷ୍ଟ ୨୦୨୫
ଦୁନିଆଁଟା ପରା ଏକ ବିଶାଳ ସାଗର
ଅସଂଖ୍ୟ ଜୀବଙ୍କ ତାହା ଅଟେ ଗନ୍ତାଘର
ସାଗର ଗରଭେ ଅଛି ରତ୍ନର ଭଣ୍ଡାର
ଲୁଟିନେବା ପାଇଁ ତାହା ମଣିଷ ତତ୍ପର ।।୧।।
ସାଗରର ଉର୍ମିମାଳା ସୁଶୀଳ ସୁଧୀର
ଉଗ୍ର ରୂପେ ତାହା କେବେ ହୁଏ ଭୟଙ୍କର
ପ୍ରକୃତିର ତାଣ୍ଡବରେ ସାଗର ଅସ୍ଥିର
ଧନ ଜୀବନକୁ କରିଦିଏ ଛାରଖାର ।।୨।।
ସାଗରର ନୀଳ ଜଳ ହେଉଛି ଧୂସର
ଆବର୍ଜନାରେ ତା’ବକ୍ଷ ଏବେ ଭରପୁର
ବୁକୁ ଚିରି ଚାଲୁଅଛି କେତେ ଯେ ଷ୍ଟିମର
ସାଗର ଚିତ୍କାର କରୁଛି “ମୋତେ ରକ୍ଷାକର”।।୩।।
ବିକାଶ କରିଛି ସାଗରକୁ ରୂପାନ୍ତର
ବେଳାଭୂମିରେ ରହିଛି ସମୟ ସ୍ବାକ୍ଷର
ବାଲୁକା ଶଯ୍ୟାରେ ଅଛି ଶାମୁକା ସମ୍ଭାର
ଭଙ୍ଗା ଡଙ୍ଗା ବାହୁଛି ମୁଁ ଏକାକୀ ଧୀବର ।।୪।।