ଆଲୋକ କୁମାର ପ୍ରଧାନ, ପୁରୀ, ୧ ଅପ୍ରେଲ ୨୦୨୪
ଅନ୍ତହୀନ ତୃଷ୍ଣାଟିଏ ଭାରି ଗୋଟେ ଅବୁଝା ପ୍ରେମିକା ।
ପ୍ରେମରେ ଫେରାଉଥାଏ ସବୁବେଳେ ତା ହାତେ ମଉକା ।।
ରଟୁଥାଏ ଲୋଟୁଥାଏ ଚୁଟୁକିଏ ଟେର୍ କେ ପାଏନା ।
ରୁଟ୍ କିନା ଚିମୁଟି ସେ କହୁଥାଏ ପାଖରୁ ଯାଅନା ।।
ଯେବେ ଦେଖେ ଲାଗୁଥାଏ ମତେ କାଇଁ ପ୍ରାୟ ଏକାପରି ।
ତା ଗୀତର ସୁର୍ ପଛେ କିଛି ଥାଏ ନଦିଶିଲା ପରି ।।
ଯିଏ ଦେଖେ ସିଏ ଭାବେ ନିଜ ସହ ତାକୁ ଯୋଡ଼ି ଦେଇ ।
ସିଏ କିନ୍ତୁ ତା ପରି ଭାରି ତୋଫା ନୁହେଁ ସେ ମିଛେଇ ।।
ସମସ୍ତଙ୍କୁ ଡାକୁଥାଏ ମତେ ଦେଖ ଭିତରେ ପଶନା ।
ସମସ୍ତଙ୍କୁ ଛୁଉଁଥାଏ ତା ସୀମାରେ କୂଳକୁ ଲଙ୍ଘେନା ।।
ହସିଦେଲେ ହସିଦିଏ ଦୁଃଖେ ଲୁହ ହୋଇ ବହିଯାଏ ।
ଆଶାର ଅସୀମ ଦେହେ ସୁଖର ସେ ସୀମାଟିଏ ହୁଏ ।।
ସାଗରେ ତରଙ୍ଗ ଉଠେ ଭାଙ୍ଗୁଥାଏ ଠିକଣା ବାଟରେ ।
ଜୀବନ ସାଗର ପରି ଜୁଆର ଓ ଭଟ୍ଟା ଦୋ ଛକିରେ ।।