ଆଲୋକ କୁମାର ପ୍ରଧାନ, ପୁରୀ, ୧୩ ମଇ ୨୦୨୪
ଏ ପାଖରୁ ଡାକଦେଲେ ସେପାଖରୁ ଓଅ ହୋଇ ଫେରେ।
ଏପାଖେ ଡେଇଁଲେ ଆଖି ସେ ପାଖରେ ଓଠ ହାଇ ମାରେ।।
ଭାତଗୁଣ୍ଡା ଭାଙ୍ଗିଗଲେ ଯଦି ଅବା ଛିଙ୍କ ପଡ଼ିଯାଏ।
ପାଦ ଝୁଣ୍ଟେ ବାରଂବାର ମନ କେବେ ପାପ ଛୁଉଁଥାଏ।।
ତୋଳୁଥିଲେ ତାଳୁ ଛୁଏଁ ତାଳିପକା ତଳିପା ଛୁଏଁନା।
ତୂଳିରେ ଲଟଉଥାଏ ମାଟିକୋଳୁ ବନ୍ଧନ କାଟେନା।।
ତୀର ପରି ଛୁଟୁଥାଏ ନଚାହିଁଲେ ହଲେ ନାହିଁ ଇଞ୍ଚେ।
ଷାଠିଏ ହାତ ବାଉଁଶ ସମ୍ପର୍କରେ କୋଡିବେଣ୍ଟେ ବଞ୍ଚେ।।
ସିଧାରାସ୍ତା ସିଧାକଥା ଖୁବ୍ ସାଧା ପ୍ରତିଟି ମୂଦ୍ରାରେ।
ଗୋଲକଧନ୍ଦାଠୁଁ ଦୂରେ ଚାଲୁଥାଏ ଆପଣା ଠାଣିରେ।।
ଜନ୍ତପରି ଜନ୍ତେ ବୁହେ ଶେଣାକରେ ଭିଡ଼ିମୋଡ଼ି ହୁଏ।
ଯେଉଁଠି ବେଖାପ ଲାଗେ ସମ୍ପର୍କର ମଞ୍ଜରୁ ସୋରାଏ।।
ସମ୍ପର୍କ ତ ସୂତାଖିଏ ସୂତ୍ରପରି ସବାଆଗେ ଥାଏ।
ଟିକିଏ ଅବାଗ ହେଲେ ଗଣ୍ଠି ପଡ଼େ ଅଡ଼ୁଆ ବି ହୁଏ।।