ଆଲୋକ କୁମାର ପ୍ରଧାନ, ପୁରୀ, ୧୭ ଅପ୍ରେଲ ୨୦୨୩
କେଉଁ ସର୍ତ୍ତ ର ଶ୍ଯାମଳିମା ଦେହେ ଅପରୂପା ଗୋଟେ ସ୍ମୃତି।
କେଉଁ ସର୍ତ୍ତ ର ଚଲାମେଘ ଦେହେ ଅଣଚାଶ ଗୋଟେ ରାତି।
କେଉଁ ସର୍ତ୍ତ ର ନିବୁଜ ପ୍ରେମରେ ଭୂଆଷୁଣୀ ସାଜେ ମେଘ।
କେଉଁ ସର୍ତ୍ତ ର ଖିଆଲି ତୁଠରେ ପ୍ରତୀକ୍ଷା ପ୍ରେମର ଦିଗ।
କେଉଁ ସର୍ତ୍ତ ର ଦିଗରେ ଦଉଡ଼ି ଭୁଆଁବୁଲେ ଜହ୍ନ ରାତି।
କେଉଁ ସର୍ତ୍ତ ର ନୀରବ ନିଆଁ ରେ ରାତି ଖୋଜେ ତୁଛା ରାତି।
କେଉଁ ସର୍ତ୍ତ ର ରିକ୍ତ ଆକାଶେ ରକ୍ତବର୍ଣ୍ଣୀ ହୁଏ ମନ।
କେଉଁ ସର୍ତ୍ତ ର ବଢ଼ି ଭୋଅରରେ ଅଳସ ଭାଙ୍ଗଇ ଜହ୍ନ।
କେଉଁ ସର୍ତ୍ତ ର ଶିରିପା ବନ୍ଧେଇ ବାହାସ୍ଫୋଟ ହୁଏ ମାରି।
କେଉଁ ସର୍ତ୍ତ ର ଅମା ଅମାରରେ ଅମେଇଷା ଚାନ୍ଦ ପରି।
କେଉଁ ସର୍ତ୍ତ ର କଜ୍ଜଳ ବନ୍ଧରେ ବନ୍ଧା ପଡ଼େ ଧାରେ ଲୁହ
କେଉଁ ସର୍ତ୍ତ ର ଦୋସୁମାଳି ଦାଉ ସହିଯାଉ ଥାଏ ଦେହ।
ସବୁ ସର୍ତ୍ତ ର ଏପାଖେ ସେପାଖେ ଲୋଟଣୀ ପାରାଟେ ପରି।
ବିତୁଥାଏ ଯୁଗ ସମୟ ସାଥିରେ ସର୍ତ୍ତ ଆଢୁଆଳ କରି।