ଆଲୋକ କୁମାର ପ୍ରଧାନ, ପୁରୀ, ୨୪ ଫେବୃଆରୀ ୨୦୨୫
ମୁଠାଏ ସମୟ ଦିଅନ୍ତା କେ ମୋତେ ମୁଠେଇ ଧରି ମୁଁ ଚାଲନ୍ତି କୋଶେ।
ମୁଠା ଖୋଲି ଦେଲେ ମନ ପୁରିଯାନ୍ତା ହୃଦୟ ଭାଷନ୍ତା ପ୍ରେମ ଆକାଶେ
କିଏ ଦେଇଯାନ୍ତା ସେଦିନ ଦରଜ ଯେଉଁ ଦରଜକୁ ଭୁଲିନି ଜମା
ଯାହା ଉପସ୍ଥିତି ହସ ଭେଟି ଦିଏ ନଥାଏ ବିରାମ ନଥାଏ କମା
ଚାଲନ୍ତା କି କିଏ ପାଦେ ପାଦ ଯୋଡ଼ି ଆଗପଛ ଚିନ୍ତା କରନ୍ତା ନାହିଁ
ଭାଙ୍ଗିଛି ବୋଲି ମୁଁ ଯୋଡ଼ୁଛି ଶବ୍ଦକୁ ଶବ୍ଦରେ ଶବ୍ଦରେ ଦିଅନ୍ତା କହି
ହରେଇଛି ବୋଲି ଖୋଜୁଛି ବସି ମୁଁ ଜୀବନୁ କବିତା ଭାବରୁ ଭାଷା
ସମୟ ସାଥିରେ ବାଟ ଚାଲୁଚାଲୁ ହୁଅନ୍ତିନି ଆଉ ମୁଁ ଲୋକହସା।
ଚୁପିଚୁପି ମୋର କାନରେ କୁହନ୍ତା ମନେ ପକାଅନ୍ତା ଭୁଲିଲା ବାଟ
ଯେଉଁ ବାଟେବାଟେ ଆସିଲି ଏଯାଏଁ ଖୋଲି ମୋ ମନର ବାରି କବାଟ
ପାଦ ଚିପି ଚିପି ଆସନ୍ତା ସେବାଟେ କାନରେ କୁହନ୍ତା ବିତିଲା କଥା
ଗାଦି ମଡ଼ା ହୋଇ ରୁହନ୍ତାନି ଦୁଃଖ ସୁଖ ବାନ୍ଧୁଥାନ୍ତା ସାଉଁଳି ମଥା
ସତରେ ଏମିତି ହୁଅନ୍ତା କି ଥରେ ଭୁଲିଲା ବାଟରେ ଚାଲନ୍ତି ଥରେ
ଯେଉଁ ଠିକଣାକୁ ଖୋଜିବାରେ ଏବେ ସମୟଟା ମୋର ନିଇତି ସରେ।