ଆଲୋକ କୁମାର ପ୍ରଧାନ, ପୁରୀ, ୨୭ ଜାନୁଆରୀ ୨୦୨୫
ବଳେଇ ଦିଅନ୍ତା କିଏ ଯାଆ ବୋଲି ଇପ୍ସିତ ବାଟରେ
ଅନେଇ ରୁହନ୍ତା କିଏ ଲେଉଟାଣି ହେଲେ ବିଳମ୍ବରେ
ଖାଇବି ବୋଲି ନକହୁ କିଏ ମୋତେ ଖୁଆଇ ଦିଅନ୍ତା
ପାଟି ନଫିଟୁଣୁ କିଏ ମନକଥା ଆଗ ବୁଝିଯାନ୍ତା
କା ଆଗେ ମୁଁ ଖୋଲୁଥାନ୍ତି ପୁରା ଗୋଟେ ଖୋଲାବହି ପରି
ସମୟର ବଟୁଆରୁ କାଢୁଥା’ନ୍ତି ସ୍ମୃତି ସରି ସରି
ଫୁଟିକି ଉଠନ୍ତା କିଛି ମନତଳ କୃଷ୍ଣଚୁଡ଼ା ରଙ୍ଗ
କିଛିଢୋକ ବୋକ ପରି ଲାଗନ୍ତାକି ସରାଗ ସରାଗ
ଭୁଲିଥିବା ବର୍ଣ୍ଣମାଳା ବନା ଆଉ ଅବନା ଧାଡ଼ିରେ
ରାତିଟେ ମିଳନ୍ତା ମତେ ଗପିବାକୁ ସମୟ ସାଥିରେ
କାହିଁକି ସରୁଛି ସୁଖ ସରୁଛି ମୁଁ ବୟସ ସାଙ୍ଗରେ
ଥରଟେ ମୁଁ ପଚାରନ୍ତି ଉତ୍ତର ମୋ କିଏ ଦେଇପାରେ
ଅତୀତ ଟା ଭଲ ଥିଲା ଏକଥା ତ ସଭିଏଁ କୁହନ୍ତି
ଏମିତିକା ହୁଅନ୍ତା ନି ଆଉଥରେ ପିଲା ହୋଇଯା’ନ୍ତି!