ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୫ ଅଗଷ୍ଟ ୨୦୨୩
ସେମାନେ ଅନେକ ରାତି
ଅସ୍ତବ୍ୟସ୍ତ ଅତୀତର ଯେତେସବୁ ବିବ୍ରତ ମୁହୂର୍ତ୍ତ,
ସେମାନେ ଅନେକ ତାରା
ଅସଂପୂର୍ଣ୍ଣ ଇଚ୍ଛାଙ୍କ ନିଆଁରେ ଦପ୍ ଦପ୍ ଜଳନ୍ତି ଲିଭନ୍ତି ।
ସେମାନେ ଅନେକ ନିଦ
ଅଜ୍ଞାତ ଓ ଅବସନ୍ନ ସ୍ନାୟୁଙ୍କ ଗ୍ରନ୍ଥିରେ,
ସେମାନେ ଅନେକ ସ୍ଵପ୍ନ
ଯୌବନର ବ୍ୟର୍ଥ ବସନ୍ତରେ ।
ସେମାନେ ଅନେକ ଚିହ୍ନ
କିଛି ଅନୁଭୂତି ଓ ଅସଫଳ କାହାଣୀ ସବୁର,
ସେ କିନ୍ତୁ ଗୋଟିଏ ଜହ୍ନ
ଅମାବାସ୍ୟା ରାତ୍ରି ଅନ୍ଧାରର ।