ସସ୍ମିତା ପଣ୍ଡା, କଟକ, ୧୯ ଜାନୁଆରୀ ୨୦୨୩
ତୁମରି ସହରେ କଡ଼ଲେଉଟାଏ
ଯେବେ ଚୁଲୁବୁଲି ଶୀତ ।
ମୋ ଗାଁ ସୂରୁଜ ସୋରିଷ ଫୁଲକୁ
ଛୁଇଁ ଗାଉଥାଏ ଗୀତ ।।
ବହଳ ନିଦରେ ପାହାନ୍ତି ପହରେ
ତୁମ ସହରି ଶୀତଟା ଶୁଏ ।
ପୂରୁବ ଆକାଶେ ମୋ ଗାଁର ଉଷା
ମଥାରେ ସିନ୍ଦୁର ନାଏ ।।
ତୁମ ସହରରେ କବିତା ଏମିତି
ଶୀତରେ ଲାଜେଇ ଯାଏ ।
ମୋ ଗାଁ ତଟିନୀ ତଟେ ସୀମନ୍ତିନୀ
ସଦ୍ୟସ୍ନାତା ସାଜିଥାଏ ।।
ତୁମରି ସହର ମୁହଁ ସଞ୍ଜ ବେଳେ
ଶୀତଟା ଚହଟି ଯାଏ ।
ମୋ ଗାଁ ରେ ଶୀତ ଗୋଧୂଳି ଉହାଡ଼େ
ଦୀପାଳୀ ସଜାଇଦିଏ ।।
ତୁମ ସହରରେ ଅମାନିଆ ଶୀତ
ଅନାବନା ଗପ କହେ ।
ମୋ ଗାଁ ଶୀତ ଅଭିମାନୀ ଟିଏ
ଭାରି ଚୁପଚାପ ରହେ ।।
ତୁମ ସହରରେ ରଙ୍ଗ ଆଲୋକରେ
ଶୀତ ସାଜେ ରଙ୍ଗବତୀ ।
ମୋ ଗାଁ ରେ ଶୀତ ସ୍ମୃତିଟିଏ ସାଜି
ପାହିଦିଏ ସାରାରାତି ।।
ତୁମ ସହରରେ ଚିକିମିକି ରଙ୍ଗେ
ଶୀତଟା ଝଲସୁ ଥାଏ ।
ମୋରି ଗାଁରେ ନିରିମାଖି ଶୀତ
ଉହ୍ମେଇରୁ ନିଆଁ ପୁଁଏ ।।
ତୁମ ସହରରେ ସଜବାଜ ହୋଇ
ଶୀତଟା ଦୋହଲୁଥାଏ ।
ମୋ ଗାଁରେ ଶୀତ ଅଳସ ଉହାଡେ
ସୁନା କ୍ଷେତ ଆଡ଼େ ଯାଏ ।।
ତୁମ ସହରରେ ଶୀତକୁ ଯେମିତି
ବୁଝିବା ସହଜ ନୁହେଁ ।
ମୋ ଗାଁ ର ଶୀତ ସେତିକି ସହଜେ
ଋତୁ ଓଢଣୀରେ ହାଏ ।।
ତୁମ ସହରରେ ଶୀତ ଲେଉଟିଛି
ତୂଳୀତଳ୍ପ କମ୍ବଳରେ ।
ମୋ ଗାଁ ରେ ଶୀତ ମଟାଳୁଛି ଦେହ
ବଉଳକଢିର ଧାରେ ।।






