ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୩
ଗାଁରେ ପହଞ୍ଚି ମୁଁ ଗାଆଁକୁ ଖୋଜିଲି
କୁଆଡ଼େ ଥିଲା କେଜାଣି
ମୋତେ ଦେଖୁ କହିଲା ‘ହାଲୋ’ ।
ମୁଁ ଚମକି ପଡ଼ିଲି
ଇଏତ ଆମ ଗାଁ ନୁହେଁ,
ସଦ୍ୟ ବିଲାତରୁ ଫେରିଥିବା
ଆଉ ଜଣେ କିଏ ।
ମୁଁ ଆଶ୍ଚର୍ଯ୍ୟଚକିତ ହୋଇ
ପଚାରିଲି କିଏ ତମେ
ଏମିତି ଅଲଗା ଅଲଗା ଲାଗୁଛ ଯେ
ବିଶ୍ଵାସ କର ବା ନ କର
ତମରି ପ୍ରିୟ ଗାଁ ‘ଜଗାଇ’ ମୁଁ ।
କୁଆଡ଼େ ଗଲେ ସମସ୍ତେ
ମାମା, ପାରିଅପା, ଚୁଣ୍ଟିଆ ମାଆ ।
ସେମାନେ କିଏ ?
ମୋର ପରିଚୟ ନାହିଁ ସେମାନଙ୍କ ସହ ।
ଗାଁ ବଦଳି ଗଲାଣି
ମେଟାମରଫସିସ୍ ହୋଇଗଲାଣି ଗାଁର
ପ୍ରତିଦିନ ଭୁବନେଶ୍ୱରରୁ
ବସ୍ ଗାଁକୁ ଯାଉଛି, ଆସୁଛି
ଗାଁ ଏବେ ଯୋଡ଼ିହୋଇ ଗଲାଣି
ଜଗତିକରଣ ସହ
ଗାଁ ଆଉ ଗାଁ ହୋଇ ନାହିଁ ।
ଆମ ଗାଁରୁ ରାଜ୍ୟସଭାକୁ
ଯାଇଥିବା ଅସୀମ ଭାଇ
ପୁଅକୁ ତାଙ୍କର ଲଣ୍ଡନରେ ପଢାଉଛନ୍ତି ।
ସିଏ କେଉଁ ଭାରତରେ ଅଛନ୍ତି ଯେ
ଗାଁକୁ ଆସିବେ ।
ସୁଇଜରଲ୍ୟାଣ୍ଡରେ ସେ ଘର କରିଛନ୍ତି ।
ଇଂଲିଶ ମିଡ଼ିଅମ୍ ସ୍କୁଲ
ଛତୁ ଫୁଟିଲା ପରି
ଗଢ଼ି ଉଠିଲାଣି ଆମ ଗାଁରେ ।
ଆମ ଗାଁରେ ଟଙ୍କାଗଛ ସମସ୍ତଙ୍କ ବାଡ଼ିରେ ।
ତମେତ ପ୍ରତିବର୍ଷ ଗାଁକୁ ଆସୁଛ
ଯେଉଁ ଗାଁକୁ ତମେ
ଆରବର୍ଷ ଦେଖିଥିଲ
ସେ ଗାଁ ଏବେ ନିରୁଦ୍ଦିଷ୍ଟ ।
କେଉଁଠି ଖୋଜିବି ସେ ଗାଁକୁ
କେଉଁଠି ପାଇବି ସିଏ ଆଉ ଏଠି ନାହିଁ ।