ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୩ ଅପ୍ରେଲ ୨୦୨୪
ସିଏ ବି ମଣିଷ
ଆଉ ଆମେ ବି ମଣିଷ,
ତେବେ ବ୍ୟବସ୍ଥା ଉପରେ
(ତା’ର) କାହିଁକି ରହୁନି ବିଶ୍ୱାସ ।। ୧ ।।
ଦିନ ସାରା ଖଟି ଖଟି
ମଜୁରି ମିଳୁନି ପାଞ୍ଚଶ,
କେମିତି ତୋଷିବ ସେଥିରେ
ତା’ର ପରିବାର ଶୋଷ ।। ୨ ।।
ଅଧିକ ରୋଜଗାର ପାଇଁ
ରଖିଥିଲା ଅଭିଳାଷ,
ସହରେ କାମର ଅଭାବ
ତାକୁ କରୁଛି ବିବଶ ।। ୩ ।।
ଖାଦ୍ୟ, ପାଣି, ପବନ ପରା
ଏଠି ସବୁ ହୋଇଛି ବିଷ,
ଦୁର୍ବିସହ ଜୀବନ ତା’ର
ହେଉଛି ହାହୁତାଶ ।। ୪ ।।
କୁଡ଼ିଆ ତଳେ ବିତେ ରାତି
ଯେଣୁ ନାହିଁ ଖଣ୍ଡେ ଆବାସ,
ଶୋଇବା ପାଇଁ ନାହିଁ ବିଛଣା
ତଳେ ପାରି ଦେଉଛି ହେଁସ ।। ୫ ।।
ପିନ୍ଧିବା ଲାଗି ନାହିଁ ପୋଷାକ
ଲୁଙ୍ଗି, ଗାମୁଛା ତା’ ବେଶ,
ସେଥି ପାଇଁ ମନ ଭିତରେ
ନାହିଁ ଟିକିଏ ଅବଶୋଷ ।। ୬ ।।
ଜମି ଖଣ୍ଡିଏ ନଥିବା ଯୋଗୁ
ସିଏ କରି ପାରୁନି ଚାଷ,
ଦିନେ ଖାଇଲେ ଆର ଓଳିକୁ
ରହି ଯାଉଛି ଓପାସ ।। ୭ ।।
ଏମିତି ଦିନ ବିତିବା ଯୋଗୁଁ
ମନେ ଭରୁଛି ନିରାଶ,
ବିଷମୟ ଏ ପରିବେଶରେ
ରୁନ୍ଧି ଯାଉଛି ତା’ ନିଶ୍ୱାସ ।। ୮ ।।
ତେଣୁ ଏ ବ୍ୟବସ୍ଥା ଉପରେ
କେମିତି ରଖିବ ବିଶ୍ୱାସ,
ଦୁନିଆଁରେ ଆମ ଭଳି ପରା
ସିଏ ବି ମଣିଷ ।। ୯ ।।