ସସ୍ମିତା ପଣ୍ଡା, କଟକ, ୨୩ ନଭେମ୍ବର ୨୦୨୨
ତୁମେ ଆସୁଛ କି ଶେଷ ହେମନ୍ତରୁ
ଭିଜା ଲଗନକୁ ଛୁଇଁ ।
ପାଦପ ଲତାର ଶିଶିର ଦେହରେ
ବିନ୍ଦୁବିନ୍ଦୁ ମୁକ୍ତା ନେଇ ।।
ତୁମେ ତ ଏମିତି ଋତୁ ବର୍ଣ୍ଣାଳିରେ
ଶ୍ବେତପଦ୍ମ ଅଙ୍କା ଝୋଟି ।
ଧାନ ମାଣିକାରେ ଜଡାଇ ଧରିଛ
ସଂସାରର ଷୋଳକୋଠି ।।
ବିମୁକ୍ତ ମହ୍ଲାରେ ମେଲାଣି ମାଗୁଛି
ଶେଫାଳୀର ପାଦଚିହ୍ନ ।
ନୀଳ ଆକାଶରୁ ହାତ ପାହାନ୍ତାରେ
ପଣ୍ଡୁ ପୁନେଇଁର ଜହ୍ନ ।
ମୁରୁକି ହସୁଛି ଡାଲିଆ ସେବତୀ
ଗେଣ୍ଡୁ ଫୁଲ ଖୋଲେ ଆଖି ।
ଚୁପିଚୁପି ହସେ ଗୋଲାପ ବଗିଚା
କେବଳ ତୁମକୁ ଦେଖି ।
ରାଜନନ୍ଦିନୀ ଗୋ ଋତୁ ଓଢ଼ଣୀରେ
ତୁମେ ମଧୁ ଅନ୍ତାକ୍ଷରୀ ।
ହଜାରେ ଶବ୍ଦରେ ଅନେକ ଭାବନା
ଓଠ ପାଖୁ ଯାଏ ଫେରି ।।
କେତେ ଆନମନା ତୁମ ପାଇଁ ଆଜି
ଚାଖଣ୍ଡେ ଚାଦର ତଳେ ।
ଚଉଠେ କମ୍ବଳ ମୋହ ପାଖରେ ମୁଁ
ହଜିଯାଏ ଯେତେବେଳେ ।
ତୁମ ନାମ ସାଥେ ରାଜରାସ୍ତା ପରେ
ଟୁପୁରୁ ଟାପୁରୁ ଗପ ।
କେତେ ଅନାଦର ଛବିରେ ଲେଖିଛ
ଉହ୍ମେଇ ନିଆଁର ତାପ ।।
ତୁମ ଉପସ୍ଥାପନ ଉପସ୍ଥିତି ବାର୍ତ୍ତା
ଗାଆଁରୁ ସହର ଯାଏ ।
ଏ ଜୀବନ ସତେ ସମ୍ପର୍କ ଡୋରୀରେ
ଅହେତୁକ ମାୟା ଟିଏ ।।